ବାଇଡେନ୍ ଓ ଟ୍ରମ୍ପଙ୍କ ପାଇଁ ନିର୍ଣ୍ଣାୟକ ମୁହୂର୍ତ୍ତ
ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରାଥମିକ ପର୍ଯ୍ୟାୟ ଏବେ ଚାଲିଛି। ଅଧିକାଂଶ ରାଜ୍ୟରେ ଦଳୀୟ ନାମାଙ୍କନ ନେଇ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବା ବେଳେ ଲକ୍ଷ ଲକ୍ଷ ଆମେରିକୀୟ ଏକା ସାଙ୍ଗରେ ମଙ୍ଗଳବାର ଦିନ ଭୋଟ୍ ଦେଇଛନ୍ତି। ଆମେରିକା ନିର୍ବାଚନ କ୍ୟାଲେଣ୍ଡରର ସବୁଠାରୁ ବ୍ୟସ୍ତବହୁଳ ଦିନ ହେଉଛି ‘ମଙ୍ଗଳବାର’। ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାର୍ଥୀଙ୍କ ପାଇଁ ଏହା ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ପାଲଟିଛି।ଆଜି ରିପବ୍ଲିକାନମାନେ ୧୫ଟି ରାଜ୍ୟରେ ଏବଂ ଡେମୋକ୍ରାଟମାନେ ୧୫ଟି ରାଜ୍ୟ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସାମୋଆରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମାର୍ଚ୍ଚ ୫ତାରିଖରେ ଉତ୍ତର-ପୂର୍ବର ମେନ୍ଠାରୁ ପଶ୍ଚିମ ଉପକୂଳର କାଲିଫର୍ଣ୍ଣିଆ ଏବଂ ଆମେରିକାର ଦୁର୍ଗମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସାମୋଆ ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଛି । ଆଲାବାମା, ଆଲାସ୍କା, ଆର୍କାନସାସ୍, କଲରାଡୋ, ମାସାଚୁସେଟ୍ସ, ମିନେସୋଟା, ନର୍ଥ କାରୋଲିନା, ଓକ୍ଲାହୋମା, ଟେନେସି, ଟେକ୍ସାସ, ୟୁତହ, ଭର୍ମୋଣ୍ଟ ଏବଂ ଭର୍ଜିନିଆରେ ମଧ୍ୟ ପ୍ରାଥମିକ ଭୋଟ୍ ଅନୁଷ୍ଠିତ ହୋଇଛି । ଆଲାସ୍କାର ଭୋଟ୍ କେବଳ ରିପବ୍ଲିକାନଙ୍କ ପାଇଁ ହେବ ଏବଂ ଏପ୍ରିଲ ୬ରେ ରାଜ୍ୟର ଡେମୋକ୍ରାଟମାନେ ଭୋଟ୍ ଦେବେ।ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ହେବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯାନକୁ ରୋକିବା ଲାଗି ଆଜି ଭାରତୀୟ ବଂଶୋଦ୍ଭବ ନେତା ନିକି ହାଲିଙ୍କ ପାଇଁ ଶେଷ ସୁଯୋଗ ହେବ ବୋଲି ଆଶା କରାଯାଉଛି। ରିପବ୍ଲିକାନ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ୨୪୨୯ ପ୍ରତିନିଧିଙ୍କ ମଧ୍ୟରୁ ୮୬୫ ଜଣ ଉପଲବ୍ଧ ହେବେ। ଜୁଲାଇରେ ରିପବ୍ଲିକାନ୍ ନ୍ୟାସନାଲ କନଭେନସନରେ ନାମାଙ୍କନ ଜିତିବା ପାଇଁ ଅତି କମ୍ରେ ୧,୨୧୫ ପ୍ରତିନିଧିଙ୍କ ଆବଶ୍ୟକତା ରହିଛି। ଡେମୋକ୍ରାଟିକ୍ କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଙ୍କ ଦଳ ଏହି ପଦ ପାଇଁ ପୁନର୍ବାର ପ୍ରାର୍ଥୀ କରିବ ବୋଲି ଆଶା କରାଯାଉଛି। ପ୍ରାୟ ଏକ ତୃତୀୟାଂଶ ଡେମୋକ୍ରାଟିକ୍ ପ୍ରତିନିଧି ଏ ବାବଦ ନିଷ୍ପତ୍ତି ନେବେ।