ଭୟଙ୍କର ମୋଡରେ ଦୁଇ ପଡ଼ୋଶୀ ରାଷ୍ଟ୍ର , ଭାରତ ହେଲାଣି ଛାନିଆ !
ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :
ଅଶାନ୍ତ ହେଲାଣି ପୃଥିବୀ। କରୋନାର ପ୍ରକୋପ କମିନଥିବା ବେଳେ ଏବେ ଯୁଦ୍ଧର ବିପଦ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲିଛି। ୟୁରୋପୀୟ ଦେଶ ମଧ୍ୟରେ ଶାନ୍ତି ଭଙ୍ଗ ହୋଇଛି। ତା ସହିତ ପ୍ରଭାବ ପଡ଼ିଛି ସାରା ବିଶ୍ୱ ଉପରେ। ମୁହାଁ ମୁହିଁ ହୋଇଛନ୍ତି ଦୁଇ ପଡ଼ୋଶୀ ରାଷ୍ଟ୍ର ରୁଷିଆ ଓ ୟୁକ୍ରେନ୍। ଉଭୟ ଦେଶ ପରସ୍ପର ସହ ଲଢ଼ିବା ଆରମ୍ଭ କରି ଦେଲେଣି ।

ବିଶ୍ୱର ଅନ୍ୟତମ ବୃହତ୍ ରାଷ୍ଟ୍ର ରୁଷିଆ ସହ ୟୁକ୍ରେନ୍ ଯୁଦ୍ଧ କରିବାକୁ ତ ଆଗେଇ ଆସିଛି, କିନ୍ତୁ ଏହାର ପରିଣାମ ଯେ କେତେ ଭୟଙ୍କର ହେବ ସେ ନେଇ ବୋଧେ ଆକଳନ କରି ପାରିନାହିଁ। ଏଭଳି ଯୁଦ୍ଧ ସ୍ଥିତିରେ ମିତ୍ର ରାଷ୍ଟ୍ର ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି। ରୁଷିଆ ତୁଳନାରେ ୟୁକ୍ରେନ୍ କମ୍ ଶକ୍ତି ଶାଳୀ ହୋଇଥିଲେ ମଧ୍ୟ ଆମେରିକା ବଳରେ ନିଜକୁ ବଳିୟାନ୍ ମନେ କରି ଯୁଦ୍ଧ ପାଇଁ ଆଗେଇ ଆସିଛି। ରୁଷିଆର ସାମରିକ ବଳ, ସୈନ୍ୟ ବାହିନୀ, ଜ୍ଞାନ କୌଶଳ ଏସବୁକୁ ଯଦି ଆମେ ୟୁକ୍ରେନ୍ ସହ ତୁଳନା କରିବା ତେବେ ରୁଷିଆ ବହୁ ଆଗରେ ରହିବ ।

ଅନ୍ୟ କୌଣସି ଦେଶର ବିନା ସାହାଯ୍ୟରେ ଯଦି ୟୁକ୍ରେନ୍ ରୁଷିଆ ସହ ଯୁଦ୍ଧ କରେ, ତେବେ ହାରିବା ସୁନିଶ୍ଚିତ। କିନ୍ତୁ ଏବେ ୟୁକ୍ରେନ୍ର ବଳ ବଢ଼ାଇଦେଇଛି ଆମେରିକା। ଆମେରିକା ବଳରେ ରଣଭୂମିରେ ଠିଆ ହୋଇଛି ୟୁକ୍ରେନ୍। ନିଜ ସୈନ୍ୟ ବାହିନୀ ଓ ଆମେରିକାର ସେନା ଉଭୟ ଏବେ ରୁଷିଆ ବିରୋଧରେ ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି।କିନ୍ତୁ ଭାରତ ଏବେ ନିରବ ରହି ବୁଦ୍ଧିମତ୍ତାର ପରିଚୟ ଦେଇଛି। ଜାତିସଂଘ ନିରାପତ୍ତା ପରିଷଦରେ ଉଭୟ ପକ୍ଷଙ୍କୁ ସୁହାଇଲା ଭଳି କଥା କହିଛି । କାରଣ ଯଦି ଭାରତ ଏବେ କୌଣସି ଗୋଟିଏ ରାଷ୍ଟ୍ରକୁ ସମର୍ଥନ କରେ ତେବେ ଆଗକୁ ୟୁକ୍ରେନ୍ ଓ ଆମେରିକାର ଶତ୍ରୁ ହୋଇଯିବ। ଫଳରେ ଏହି ଯୁଦ୍ଧର ପ୍ରଭାବ ଭାରତ ଉପରେ ବି ପଡ଼ିବ। ଆମେରିକା ଭଳି ବୃହତ ତଥା ସବୁ କ୍ଷେତ୍ରରେ ଶକ୍ତିଶାଳୀ ରାଷ୍ଟ୍ରର ଶତ୍ରୁ ନ ହେବାକୁ ଭାରତ ଏବେ ଉଚିତ ଭାବିଛି। କିନ୍ତୁ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ବନ୍ଦ କରିବା ନିହାତି ଜରୁରୀ। ରୁଷିଆ ହେଉ କି ୟୁକ୍ରେନ୍ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଥିରୁ ଓହରିଯିବା ତୁରନ୍ତ ଆବଶ୍ୟକ ବୋଲି ଜାତିସଂଘ ବି ମତ ଦେଇଛି। ତେବେ ସମୟ ହିଁ କହିବ ଆଗକୁ ଏହି ସ୍ଥିତି କି ରୂପ ନେଉଛି।