ପାକିସ୍ତାନରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ଏୟାରବେସରେ ଅନେକ ଲଢୁଆ ବିମାନ ଧ୍ୱଂସ
ଲାହୋର: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ମିଆଁୱାଲି ଏୟାରବେସରେ 5ଟି ଯୁଦ୍ଧ ବିମାନ ନଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଆତଙ୍କବାଦୀ ପ୍ରବେଶ କରି ଗୁଳି ଚଳାଇବା ସହ ବିମାନରେ ନିଆଁ ଲଗାଇଦେଇଥିଲେ । ଯାହା ଫଳରେ କିଛି ବିମାନ ସହ ଡ୍ରୋନ ମଧ୍ୟ ନଷ୍ଟ ହୋଇଛି । ସମଗ୍ର ଅଞ୍ଚଳରେ ଗୁଳିବିନିମୟ ଯୋଗୁଁ ଭୟର ବାତାବରଣ ଖେଳିଯାଇଥିଲା । ଅଜ୍ଞାତ ବନ୍ଧୁକଧାରୀମାନେ ମିଆନୱାଲିସ୍ଥିତ ପାକିସ୍ତାନ ବାୟୁସେନା ପ୍ରଶିକ୍ଷଣ ଘାଟି ଉପରେ ଆକ୍ରମଣ କରିଥିବା ବେଳେ ପାଲଟା ଆକ୍ରମଣରେ କିଛି ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ମିଆନୱାଲିରେ ଥିବା ପାକିସ୍ତାନ ବାୟୁସେନା ଘାଟି ଉପରେ କିଛି ଆତ୍ମଘାତୀ ଆକ୍ରମଣକାରୀ ଆକ୍ରମଣ କରିବା ଖବର ପରେ ସର୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ଆତଙ୍କବାଦୀଙ୍କ ଆକ୍ରମଣରେ ଅନେକ ଯୁଦ୍ଧ ବିମାନ ଧ୍ୱଂସ ହୋଇଛି। ସକାଳୁ ଆତଙ୍କବାଦୀଙ୍କୁ ଧରିବାକୁ ଚାରିପଟୁ ସୁରକ୍ଷା କର୍ମୀ ସେ ଅଂଚଳକୁ ଘେରି ରହିଛନ୍ତି । ଆତଙ୍କବାଦୀ ସଂଗଠନ ତେହରିକ-ଏ-ଜିହାଦ ପାକିସ୍ତାନ (ଟିଜେପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।