ମୋରୋକୋ ଭୂମିକମ୍ପ: ୧୦୦୦ ଟପିଲା ମୃତ୍ୟୁସଂଖ୍ୟା

ମୋ‌ରୋକୋକୁ କନ୍ଦାଇଲା ଭୂମିକମ୍ପ। ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋ‌ରୋକୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଏବେ ଶହ ଶହ ଲୋକ ନିଜ ଘରର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା କୁହାଯାଉଛି। କମ୍ପ ପ୍ରଭାବିତ ପ୍ରଦେଶରେ ଅତି କମରେ ୧୦୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨୦୦ରୁ ଅଧିକ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଅଧିକାଂଶ କ୍ଷତି ସହର ବାହାରେ ଘଟିଛି। ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ‘ଆଟ୍‌ଲାସ୍‌ ମାଉଣ୍ଟେନ୍‌’ ୱୟୁକୈମେଦେନ୍‌ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍‌, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।