ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ୍ ଠପ୍
ଗାଜା: ହମାସର ଆକ୍ରମଣ ପରେ ଇସ୍ରାଏଲ ସମସ୍ତ ସହାୟତା ବନ୍ଦ କରିଛି । ଶହ ଶହ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀ ସଂଗଠନ ହତ୍ୟା କରିବା ପରେ ଗାଜାକୁ ସମସ୍ତ ଜରୁରୀକାଳୀନ ସେବା ବନ୍ଦ କରିବାକୁ ଇସ୍ରାଏଲ ପୂର୍ବରୁ ଘୋଷଣା କରିଥିଲା । ଗାଜାରେ ବିଦ୍ୟୁତ୍ ଯୋଗାଣ ପାଇଁ ରହିଥିବା ଏକମାତ୍ର ପାୱାର ପ୍ଲାଣ୍ଟ୍ ବୁଧବାର ବନ୍ଦ ହୋଇଯିବା ଫଳରେ ଏବେ ସମଗ୍ର ସହରକୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ଗାଜାକୁ ଇସ୍ରାଏଲ୍ ଖାଦ୍ୟ ଏବଂ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଦେବାପରେ ଅତି ଜଟିଳ ସ୍ଥିତି ଉପୁଜିଛି। ଗାଜାରେ ଇନ୍ଧନ ଅଭାବରୁ ପାୱାର ପ୍ଲାଣ୍ଟ୍ ଠପ୍ ହୋଇଯିବା ନେଇ ବିଭିନ୍ନ ମାନବାଧିକାର ସଂଗଠନ ଉଦ୍ବେଗ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଗାଜାକୁ ବିଦ୍ୟୁତ, ଖାଦ୍ୟ ଏବଂ ଜାଳେଣି ସବୁକିଛି ବନ୍ଦ କରାଯିବ। ତେବେ ଗାଜାରେ ଏବେ ଅତି ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଥିବାରୁ ତତ୍କାଳ ସମାଧାନର ରାସ୍ତା ବାହାର କରିବାକୁ ଜାତିସଂଘ ଗୁରୁତ୍ବାରୋପ କରିଛି। ହମାସ ବିରୋଧରେ ଇସ୍ରାଏଲ ଆକ୍ରମଣ ଜୋରଦାର କରିଥିବାରୁ ଗାଜାରୁ ଅନେକ ନାଗରିକ ଆଶ୍ରୟସ୍ଥଳକୁ ଚାଲି ଯାଇଛନ୍ତି।