ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ଗତକାଲି ‘ଫୋକ୍ସ୍ ୱାଗେନ୍ ଗ୍ରୁପ୍’ର ହଜାର ହଜାର କାର୍ ବୋହି ନେଇଯାଉଥିବା ପାନାମାର ପ୍ରକାଣ୍ଡ ମାଲ୍ବାହୀ ଜାହାଜ ‘ଦି ଫେଲିସିଟି ଏସ୍’ରେ ‘ଆଟ୍ଲାଣ୍ଟିକ୍ ସାଗର ମଧ୍ୟସ୍ତ ଆଜୋରିଜ୍ ଦ୍ଵୀପପୁଞ୍ଜ ନିକଟରେ ନିଆଁ ଲାଗିଯାଇଛି। ଉକ୍ତ ଜାହାଜରେ ଥିବା ୨୨ଜଣ କ୍ରୁ’ ସଦସ୍ୟଙ୍କୁ ସଫଳତାର ସହ ଉଦ୍ଧାର କରି ପର୍ତ୍ତୁଗାଲ୍ର ନୌସେନା ଏବଂ ବାୟୁସେନା ସ୍ଥାନୀୟ ହୋଟେଲ୍କୁ ନେଇଯାଇଛନ୍ତି। ସମ୍ପ୍ରତି ନିଆଁ ଲାଗିଥିବା ଜାହାଜରେ କୋଣସି ଲୋକ ନାହାନ୍ତି ଏବଂ ତାହା ଜ୍ଵଳନ୍ତ ଅବସ୍ଥାରେ ସମୁଦ୍ରରେ ଭାସିବୁଲୁଛି।

ଆମେରିକାସ୍ଥିତ ‘ଫୋକ୍ସ୍ୱାଗେନ୍’ ଶାଖାର ଅଭ୍ୟନ୍ତରୀଣ ଇମେଲ୍ରୁ ଜଣାପଡ଼ିଛି ଯେ, ଉକ୍ତ ଜାହାଜରେ ୩,୯୬୫ଟି ‘ଫୋକ୍ସ୍ୱାଗେନ୍ ଏଜି ଭେଇକ୍ଲ୍’ ଥିଲା। ଜର୍ମାନିର ଉଲଫ୍ସ୍ବର୍ଗରେ ମୁଖ୍ୟାଳୟ ଥିବା ‘ଫୋକ୍ସୱାଗେନ୍’ ନିଜ ବ୍ରାଣ୍ଡ୍ର କାର୍ ନିର୍ମାଣ କରିବା ସହ ‘ପସ୍’, ‘ଅଡି’, ‘ଲାମ୍ବରଗିନି’ ଏବଂ ‘ବେଣ୍ଟଲି’ ଆଦି କାର୍ ନିର୍ମାଣ କରେ। ଉପରୋକ୍ତ କାର୍ ସବୁ ସେ ପଣ୍ୟବାହୀ ପୋତରେ ଥିବା ଛୋଟ ଛୋଟ ଡଙ୍ଗାରେ ରଖାଯାଇଥିଲା। ଫେବ୍ରୁଆରି ୧୦ ତାରିଖରେ ଜର୍ମାନିର ଏମ୍ଡେନ୍ ବନ୍ଦର ଛାଡ଼ିଥିବା ଉକ୍ତ ଜାହାଜ ଫେବ୍ରୁଆରି ୨୩ ତାରିଖ ସକାଳେ ରୋଡ୍ ଦ୍ଵୀପର ଡେଭିସ୍ଭାଇଲ୍ରେ ପହଞ୍ଚିବାର ଥିଲା। ଜାହାଜରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଥିଲେ ମଧ୍ୟ ସେଥିରେ ଥିବା କାର୍ଗୁଡ଼ିକୁ ଉଦ୍ଧାର କରିବା ସମ୍ଭବପର ନୁହେଁ ବୋଲି ଉଦ୍ଧାରକାରୀମାନେ କହୁଛନ୍ତି।