ଯୁଦ୍ଧର ଶେଷ ସୀମା ପାର କରୁଛି ଇସ୍ରାଏଲୀ
ଲେବାନନ୍ରେ ଇସ୍ରାଏଲୀ ସ୍ଥଳସେନା ହେଜବୁଲ୍ଲାକୁ ନିପାତ କରିବା ଅଭିଯାନ ଜୋରଦାର କରିଥିବା ବେଳେ ହେଜବୁଲ୍ଲା ମଧ୍ୟ ସବୁ ଶକ୍ତି ଖଟାଇ ଇସ୍ରାଏଲ ସେନାର ମୁକାବିଲା କରୁଥିବା ଦେଖିବାକୁ ମିଳିଛି। ଆଜି ଦକ୍ଷିଣ ଲେବାନନ୍ରେ ୧୫ ଜଣ ହେଜ୍ବୁଲ୍ଲା ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଶତାଧିକ ଆହତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଲେବାନନ୍ରେ ଅତି କମ୍ରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ଲେବାନନ୍ ଉପରେ ଇସ୍ରାଏଲ ଆକ୍ରମଣ ଆରମ୍ଭ କରିବା ପରଠାରୁ ଏ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ବୋଲି ଲେବାନନ୍ ପ୍ରଧାନମନ୍ତ୍ରୀ ନଜିବ ମିକାଟି କହିଛନ୍ତି। ଗତକାଲିଠାରୁ ଇସ୍ରାଏଲ ବାହିନୀର ଆକ୍ରମଣ ତୀବ୍ର ହୋଇଛି ଏବଂ ଘନ ଜନବସତି ଅଂଚଳକୁ ମଧ୍ୟ ଟାର୍ଗେଟ୍ କରାଯାଉଥିବାରୁ ବିସ୍ଥାପିତଙ୍କ ସଂଖ୍ୟା ବଢ଼ିଚାଲିଛି। ହେଜବୁଲ୍ଲା ସଦସ୍ୟମାନେ ଗତକାଲିଠାରୁ ଗରିଲା ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ସୀମାନ୍ତ ସହର ମାରୁନ୍ ଏଲ୍ ରାସ୍ ନିକଟରେ ଇସ୍ରାଏଲର ତିନୋଟି ମେର୍କାଭା ଟ୍ୟାଙ୍କକୁ ରକେଟ୍ ମାଡ଼ରେ ଧ୍ୱଂସ କରିଛନ୍ତି।