ଗାଜାରେ ପଶିଲା ଇସ୍ରାଏଲୀ ଟ୍ୟାଙ୍କ୍
ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ଉତ୍ତର ଗାଜାରେ ଗତରାତିରେ ଟାର୍ଗେଟ୍ ରେଡ୍ କରିଛି। ୫୦ରୁ ଅଧିକ ହମାସ ଠିକଣା ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଗାଜାରେ ଇସ୍ରାଏଲ ସେନା ଏବଂ ଟ୍ୟାଙ୍କ୍ ପ୍ରବେଶ କରି ହମାସ ଗୋଷ୍ଠୀର ବିଭିନ୍ନ ଆଡ଼ାସ୍ଥଳ ଉପରେ ଆକ୍ରମଣ କରିଛି। ହମାସ ଆତଙ୍କବାଦୀ ଗୋଷ୍ଠୀର ବିଭିନ୍ନ ଭିତ୍ତିଭୂମି, ଆଣ୍ଟି ଟ୍ୟାଙ୍କ୍ ମିସାଇଲ ଲଞ୍ଚ୍ ପୋଷ୍ଟ୍ ଉପରେ ଇସ୍ରାଏଲ ସେନା ଆକ୍ରମଣ କରିଛି। ଇସ୍ରାଏଲ ସେନା ପକ୍ଷରୁ ଏନେଇ ଏକ ଅନଲାଇନ୍ ବିବୃତି ଜାରି କରି କୁହାଯାଇଛି ଯେ ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧର ପ୍ରସ୍ତୁତି ପୂର୍ବକ ଉତ୍ତର ଗାଜାରେ ଏହି ଅପରେସନ୍ କରାଯାଇଛି। ତେବେ ଇସ୍ରାଏଲ ସେନା କେତେକ ଟାର୍ଗେଟ୍ ଧ୍ବଂସ କରିବା ପରେ ଉକ୍ତ ଅଞ୍ଚଳ ଛାଡ଼ି ଇସ୍ରାଏଲ ପରିସରକୁ ଚାଲି ଆସିଥିବା ସେନା ପକ୍ଷରୁ କୁହାଯାଇଛି।ଇସ୍ରାଏଲ ଆକ୍ରମଣରେ ଗାଜାରେ ୭,୦୨୮ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଦାବି ହୋଇଛି। ଏମାନଙ୍କ ମଧ୍ୟରେ ୨,୯୧୩ ଜଣ ଶିଶୁ ଅଛନ୍ତି। ହମାସ ଆତଙ୍କବାଦୀ ଗୋଷ୍ଠୀ ୨୨୪ ଜଣ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ ରଖିଥିବା ଇସ୍ରାଏଲ ସେନା କହିଛି। ଆଗକୁ ଏହି ସଂଖ୍ୟା ମଧ୍ୟ ବଢ଼ିପାରେ।