ଇସ୍ରାଏଲ-ହେଜବୁଲ୍ଲା ସଂଘର୍ଷ ଜାରି
ଇସ୍ରାଏଲ ମଧ୍ୟ ଦକ୍ଷିଣ ଲେବାନନ୍ରେ ଅଧିକ ସୈନ୍ୟ ମୁତୟନ କରିବା ସହ ଉତ୍ତର ଗାଜାରେ ବି ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ସେନା କହିଛି ଯେ ହେଜବୁଲ୍ଲା ଉତ୍ତର ଇସ୍ରାଏଲର ହାଇଫା ବନ୍ଦର ସହରର ଦକ୍ଷିଣକୁ ଲକ୍ଷ୍ୟ କରି ପ୍ରାୟ ୧୮୦ଟି ରକେଟ୍ ନିକ୍ଷେପ କରିଥିଲା। ଅନ୍ୟପକ୍ଷରେ ଇସ୍ରାଏଲର ସ୍ଥଳ ଅଭିଯାନ ଓ ବିମାନ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନ୍ରେ ୫୦ରୁ ଅଧିକ ନିହତ ହୋଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲେବାନନ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଏହା ଗାଜା ଭଳି ବିନାଶର ସମ୍ମୁଖୀନ ହୋଇପାରେ। ଲେବାନନ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ନିଜ ଦେଶକୁ ହେଜବୁଲ୍ଲାଠାରୁ ମୁକ୍ତ କରନ୍ତୁ ଯାହାଦ୍ୱାରା ଏହି ଯୁଦ୍ଧ ଶେଷ ହୋଇପାରିବ। ନ ହେଲେ ଲେବାନନ୍ ଲମ୍ବା ଯୁଦ୍ଧ ସହ ଗାଜା ଭଳି ବିଧ୍ୱଂସର ସମ୍ମୁଖୀନ ହେବ।