ଇସ୍ରାଏଲ ସହ ଯୁଦ୍ଧ ବଢ଼ାଇବାକୁ ଚାହୁଛି ହମାସ୍‌

୫୮ ଜଣ ବନ୍ଧକ ମୁକ୍ତି ପାଇଲେଣି

ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ହମାସ୍‌ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଛି ବୋଲି କହିଛି। ଏକ ବିବୃତିରେ ହମାସ କହିଛି ଯେ ଯଦି ଇସ୍ରାଏଲ ପାଲେଷ୍ଟାଇନର ଅଧିକ କଏଦୀଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ପ୍ରୟାସ କରେ ତେବେ ଯୁଦ୍ଧବିରତିକୁ ବୃଦ୍ଧି କରାଯାଇପାରେ। ଇସ୍ରାଏଲ ଏହା ପୂର୍ବରୁ ସୂଚନା ଦେଇସାରିଛି ଯେ, ହମାସ୍‌ ଯଦି ଅଧିକ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ଚାହିବ, ତେବେ ପ୍ରତି ୧୦ ଜଣ ବନ୍ଧକଙ୍କ ମୁକ୍ତି ପାଇଁ ଅତିରିକ୍ତ ଗୋଟିଏ ଦିନ ଲେଖାଏ ଯୁଦ୍ଧବିରତି ବୃଦ୍ଧି କରାଯିବ।ଇସ୍ରାଏଲର ମୋସାଦ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇସ୍ରାଏଲରେ ତା’ର କତର ପ୍ରତିପକ୍ଷଙ୍କ ସହ ଏକ ବୈଠକର ଆୟୋଜନ କରି ହମାସ୍‌ ଦ୍ୱାରା ବନ୍ଦୀ ଥିବା ଅବଶିଷ୍ଟ ବନ୍ଧକମାନଙ୍କ ମୁକ୍ତି ବିଷୟରେ ଆଲୋଚନା କରିବା ସହ ଦୋହା ମଧ୍ୟସ୍ଥତାରେ ଯୁଦ୍ଧବିରତିର ସମ୍ଭାବ୍ୟ ସମ୍ପ୍ରସାରଣର ଅନ୍ୟ ବିକଳ୍ପ ଉପରେ ବିଚାରବିମର୍ଶ କରିଥିଲେ। ଗାଜାବାସୀଙ୍କ ପାଖରେ ମାନବିକ ସହାୟତା ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁଦ୍ଧବିରତି ପାଇଁ କତର ଓ ଇଜିପ୍ଟ ମଧ୍ୟସ୍ଥତାରେ ହୋଇଥିବା ଚୁକ୍ତି ଅନୁଯାୟୀ ହମାସ୍‌ ବର୍ତ୍ତମାନ ସୁଦ୍ଧା ୫୮ ଜଣ ବନ୍ଦୀଙ୍କୁ ମୁକ୍ତ କରିଛି।