ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ,୨୪ଜଣ ମୃତ

ମେଟ୍ରୋ ଟିଭି ଓଡିଶା,୨/୨ : ପ୍ରବଳ ବର୍ଷା ଯୋଗୁ ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ ହୋଇଛି । ଇକ୍ୱାଡୋରର ରାଜଧାନୀ କ୍ୱିଟୋରେ ଭୂସ୍ଖଳନ ଯୋଗୁଁ ୨୪ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ଏହି ଭୂସ୍ଖଳନ ହୋଇଥିବା ଯୋଗୁଁ ଅନେକ ଘର ମଧ୍ୟନଷ୍ଟ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ କ୍ଷତି ଘଟିଛି। କ୍ୱିଟୋ ସୁରକ୍ଷା ବିଭାଗ ତରଫରୁ ଜଣାପଡିଛି ଯେ, ଭୂସ୍ଖଳନ ଯୋଗୁଁ ୪୮ ଲୋକ ଆହତ ହୋଇଛନ୍ତି ୮ଟି ଘର ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଏହାଛଡା ଅନ୍ୟ କେତେକ ଘର ମଧ୍ୟକ୍ଷତିଗ୍ରସ୍ତ ହୋଇଛି। ୧୨ ଜଣ ଲୋକ ନିଖୋଜ ହେବାର ସୂଚନା ରହିଛି।

ସୂଚନା ଅନୁସାରେ, କ୍ୱିଟୋରେ ଲଗାତାର ୨୪ ଘଣ୍ଟା ବର୍ଷା ହେବା ପରେ ଏଭଳି ପରିସ୍ଥିତି ଦେଖାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ସହିତ ସ୍ଥାନୀୟ ଲୋକ ମଧ୍ୟ ସହାୟତା କରୁଛନ୍ତି। ଜଣେ ମହିଳା ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ହଠାତ୍ ଘରୁ ଝରକା ଏବଂ କବାଟ ଦେଇ ପାଣି ପସିଯାଇଥିଲା। ଏହା ପରେ ଘର ଭାଙ୍ଗିବା ପୂର୍ବରୁ ସେ ଘରୁ ବାହାରି ଯାଇଥିଲେ। ଘର ଭାଙ୍ଗିବା ଯୋଗୁଁ ଲୋକେ ଏଣେତେଣ ଦୌଡୁଥିଲେ। ପାଣିରେ ଲୋକେ ଭାସି ଯାଇଥିଲେ ବୋଲି ସେ କହିଛନ୍ତି। ଭୂସ୍ଖଳନ ଯୋଗୁଁ ମାଟି ଅତଡା ତଳେ ଫସିଥିବା ଲୋକଙ୍କୁ ସ୍ୱର ଶୁଣି ସେମାନଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ପ୍ରଶାସନ କହିଛି। କ୍ୱିଟୋର ମେୟର ସୋଟିଗୋ ଗୋରଡେରାସ କହିଛନ୍ତି, ବର୍ଷା ଯୋଗୁଁ ମାଟି ଜମା ହୋଇଥିଲା ଯାହା ଫଳରେ ଭୂସ୍ଖଳନ ହୋଇଥିଲା।