ମେଟ୍ରୋଟିଭିଓଡିଶା(୨୭.୪.୨୦୨୨)
ଅଙ୍ଗନବାଡି କର୍ମୀ (ଏଡବ୍ଲ୍ୟୁଡବ୍ଲ୍ୟୁ) ଓ ଅଙ୍ଗନବାଡି ସହାୟକ (ଏଡବ୍ଲ୍ୟୁଏଚ୍) ଗ୍ରାଚୁଇଟି ପାଇବାକୁ ହକ୍ଦାର। ଗ୍ରାଚୁଇଟି ଆଇନ ୧୯୭୨ ଅନୁଯାୟୀ ଦେଶର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟକମାନଙ୍କୁ ଗ୍ରାଚୁଇଟି ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏପରିକି ଅବସରଗ୍ରହଣ କରିଥିବା ଯେଉଁ ଅଙ୍ଗନବାଡି କର୍ମୀ ଓ ସହାୟକ ଗ୍ରାଚୁଇଟି ପାଇ ନଥିବେ ସେମାନଙ୍କୁ ୧୦% ସୁଧ ସହିତ ଗ୍ରାଚୁଇଟି ପ୍ରଦାନ କରାଯିବ ବୋଲି ସୁପ୍ରିମକୋର୍ଟ ବିଚାରପତି ଅଜୟ ରୋସ୍ତଗି ଓ ଅଭୟ ଏସ୍ ଓକାଙ୍କୁ ନେଇ ଗଠିତ ପୀଠ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ଆଗତ ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ୩ମାସ ମଧ୍ୟରେ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କ ଗ୍ରାଚୁଇଟି ବାବଦ ଦେୟ ପ୍ରଦାନ କରାଯିବ। ଏ ଦିଗରେ ରାଜ୍ୟ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବେ। ଯେଉଁମାନେ ଗ୍ରାଚୁଇଟି ପାଇ ନାହାନ୍ତି ସେମାନେ ୧୯୭୨ ଗ୍ରାଚୁଇଟି ଆଇନର ଉପଧାରା ୩ ଏ ଅନୁଯାୟୀ ୧୦% ସୁଧ ପାଇବେ। ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍) ଅଧୀନରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ସହାୟକମାନେ ଗ୍ରାଚୁଇଟି ପାଇବାକୁ ହକ୍ଦାର କି ନାହିଁ ତାହା ବିବାଦର ବିଷୟ ହୋଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଏବେ ସ୍ପଷ୍ଟ କରିଛନ୍ତି। ଆଇସିଡିଏସ୍ ଏକ କେନ୍ଦ୍ରୀୟ ଯୋଜନା ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି।