ଆସନ୍ତା 4 ଦିନ ପ୍ରବଳ ଗୁଳୁଗୁଳି
ପ୍ରତିବର୍ଷ ସକ୍ରିୟ ମୌସୁମୀ ପରେ ୧୦ରୁ ୧୫ ଦିନ ‘ମୌସୁମୀ ବିରତି’ ହୋଇଥାଏ। ଏହି ସମୟରେ ପାଗ ମେଘମୁକ୍ତ ବା ଆଂଶିକ ମେଘୁଆ ରହିଥାଏ। ତାପମାତ୍ରା ବଢ଼ିବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇଥାଏ। ଏବେ ଏହି ମୌସୁମୀ ବିରତି ଚାଲିଛି। ମେ’ ୩୧ରୁ ରାଜ୍ୟରେ ମୌସୁମୀ ବର୍ଷା କମିଯାଇଛି। ଏବେ ରାଜ୍ୟର ଆକାଶ ମେଘମୁକ୍ତ ଥିବାରୁ ଧୀରେଧୀରେ ରାଜ୍ୟର ତାତି ବଢ଼ିବାରେ ଲାଗିଛି। ଏହି ସ୍ଥିତି ରଜ ଯାଏ ଲାଗିରହିବ। ରଜ ପରେ ପୁଣି ମୌସୁମୀ ଫେରିବ ବୋଲି ଆକଳନ କରାଯାଉଛି।
ଆଜି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ତାତି ଆରମ୍ଭ ହୋଇଯାଇଛି। ଆସନ୍ତା ୬ ତାରିଖ ଯାଏ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉଷ୍ମ ଓ ଆର୍ଦ୍ର ପରିବେଶ ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି କିଛି ସ୍ଥାନରେ ଏହି ୪ ଦିନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟାରେ ଭୁବନେଶ୍ବରର ଆକାଶ ଆଂଶିକ ମେଘୁଆ ରହିପାରେ। ସର୍ବାଧିକ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରି ରହିପାରେ। ଗୁଳୁଗୁଳି ଅଧିକ ରହିପାରେ।