ଆଜି ମାଡ଼ ହେବ ‘ରେମାଲ’: ଉପକୂଳରେ ବର୍ଷା ସହ ପବନ ସମ୍ଭାବନା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇଛି। ଏହାର ନାମକରଣ ‘ରେମାଲ’ କରାଯାଇଛି। ବାତ୍ୟାଟି ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି। ବାତ୍ୟା ବାଂଲାଦେଶର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଏହା ଉତ୍ତର ଦିଗରେ ଗତି କରି ୨୬ ତାରିଖ ମଧ୍ୟରାତିରେ ଭୀଷଣ ବାତ୍ୟା ରୂପରେ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳର ସାଗର ଦ୍ୱୀପ ଓ ଖେପୁପରା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ସେତେବେଳକୁ ପବନର ବେଗ ୧୧୦ରୁ ୧୨୦ କିମି ରହିଥିବ। ମଝିରେ ମଝିରେ ପବନର ବେଗ ୧୩୫ କିମି ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।