ପ୍ରବଳ ଗ୍ରୀଷ୍ମପ୍ରବାହ
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି ଯେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆଜି ଦିଲ୍ଲୀର ମୁଙ୍ଗେଶପୁରରେ ସର୍ବୋଚ୍ଚ ତାପମାତ୍ରା ୪୯.୯ ଡିଗ୍ରି ରେକର୍ଡ କରାଯାଇଛି। ଉତ୍ତର ଦିଲ୍ଳୀର ନରେଲାରେ ମଧ୍ୟ ୪୯.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏହି ଦୁଇଟି ସ୍ଥାନରେ ଆଜିର ତାପମାତ୍ରା ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି। ଦକ୍ଷିଶଣ ପଶ୍ଚିମ ଦିଲ୍ଲୀର ନଜଫଗଡରେ ତାପମାତ୍ରା ୪୯.୮ ଡିଗ୍ରି ରେକର୍ଡ କରାଯାଇଛି। ଏହିସବୁ ସ୍ଥାନରେ ଆଜିର ତାପମାତ୍ରା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।
ଗତକାଲି ମୁଙ୍ଗେଶପୁରରେ ସର୍ବୋଚ୍ଚ ତାପମାତ୍ରା ୪୮.୮ ଡିଗ୍ରି ସେଲସିୟସ ଥିବା ବେଳେ ରାଜସ୍ଥାନର ଫାଲୋଡି ୪୯.୪ ଡିଗ୍ରି ତାପମାତ୍ରା ସହ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବେ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗ ତା’ର ସଦ୍ୟତମ ପାଣିପାଗ ବୁଲେଟିନରେ କହିଛି ଯେ ଏହି ତିନି ଦିନ ମଧ୍ୟରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ହରିୟାଣାର ସିରସାରେ ପାରଦ ଗତକାଲି ୪୮.୪ ଡିଗ୍ରି ଛୁଇଁଥିବା ବେଳେ ପଞ୍ଜାବର ଭଟିଣ୍ଡାରେ ୪୮.୪ ଡିଗ୍ରି, ଉତ୍ତରପ୍ରଦେଶର ଝାନ୍ସିରେ ୪୮.୧ ଡିଗ୍ରି ଓ ମଧ୍ୟପ୍ରଦେଶର ନିୱାରୀରେ ୪୮.୭ ଡିଗ୍ରି ରେକର୍ଡ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ହିମାଚଳ ପ୍ରଦେଶରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଉନାରେ ତାପମାତ୍ରା ୪୪ ଡିଗ୍ରି ଥିବା ବେଳେ ମଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ କରାଯାଇଛି।