ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସମ୍ବଲପୁର, ଦେବଗଡ଼, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିରିଫ୍ କାର୍ଯ୍ୟାଳୟଙ୍କ ପକ୍ଷରୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଜ୍ଞାନୀମାନଙ୍କର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହରେ ରାଜ୍ୟରେ ସମୁଦାୟ ବର୍ଷାର ପରିମାଣ ସ୍ୱାଭାବିକଠାରୁ ଅଧିକ ରହିବ । ରାଜ୍ୟର ଉପୂକଳ, ପଶ୍ଚିମ ଓ ଉତ୍ତର ଭାଗରେ ଅଧିକ ବର୍ଷାର ସମ୍ଭାବନା ରହିଛି ।ଅନ୍ୟପଟେ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ପ୍ରଭାବିତ ହେଉଥିବା ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ବାଲେଶ୍ୱର ରାଜଘାଟରେ ସତର୍କ ସଙ୍କେତ ୯ ଦଶମିକ ୪/୫ ମିଟର ଓ ବିପଦ ସଙ୍କେତ ୧୦ ଦଶମିକ ୩/୬ ମିଟର ଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଗତକାଲି ସକାଳେ ୬ ଦଶମିକ ୫/୨ ମିଟର ଥିଲା ।ସେହିପରି ଜଳକା ନଦୀର ଜଳସ୍ତର ୪ ଦଶମିକ ୯/୯ ମିଟରରେ ପହଞ୍ଚିଛି। ଏହି ନଦୀର ବିପଦ ସଙ୍କେତ ମଥାନୀଠାରେ ୬ ଦଶମିକ ୫/୦ ମିଟର ଧାର୍ଯ୍ୟ କରାଯାଇଛି । ଯଦି ଆଗାମୀ ଦିନରେ ବର୍ଷା ନ ହୁଏ ତେବେ ଏହି ଦୁଇନଦୀରେ ବନ୍ୟାର ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।