ପରିବାରବାଦ, ତୁଷ୍ଟିକରଣ ଏବଂ ଦୁର୍ନୀତି ଦେଶପାଇଁ ବିପଦ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ମୋଦୀ@20 : ଡ୍ରିମ୍ସ ମିଟ୍‌ ଡିଲିଭରୀର ଓଡ଼ିଶା ଚାପ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ ଶାହା କହିଥିଲେ ଯେ, ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର ୫୦ ବର୍ଷର ସାର୍ବଜନୀନ ଜୀବନକୁ ଅଳ୍ପ କିଛି ଶବ୍ଦ ଓ ମୁହୂର୍ତ୍ତରେ ସମାହିତ କରିବା ଅତ୍ୟନ୍ତ କଠିନ । ମୋଦୀ@20ର ଅର୍ଥ ହେଉଛି ତାଙ୍କର ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସମୟ । ମୋଦୀ@20 ପୁସ୍ତକରେ ଗତ ୨୦ ବର୍ଷ ଧରି ମୋଦୀ ଜୀ ଏ ଦେଶର ଗଣତନ୍ତ୍ର, ସାର୍ବଜନୀନ ଜୀବନକୁ ମଜବୁତ କରିବା ଲାଗି ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ବର୍ଣ୍ଣିତ ହୋଇଛି । ଏଥିସହିତ ପ୍ରଥମେ ଗୁଜରାଟ ଏବଂ ଏହାପରେ ଭାରତକୁ ମହାନ କରିବା, ଦେଶର ସମସ୍ୟାକୁ ଉନ୍ମୁଳନ କରିବା, ସମସ୍ୟା ସମାଧାନ କରିବା ସହିତ ସଫଳତା ପୂର୍ବକ ସାରା ବିଶ୍ୱରେ ଦେଶର ଗୌରବକୁ ପ୍ରତିଷ୍ଠିତ କରିବାର ଗାଥା ମୋଦୀ@20 ପୁସ୍ତକରେ ବର୍ଣ୍ଣିତ ହୋଇଛି । ଯଦି କେହି ମୋଦୀ@20କୁ ବୁଝିବା ଲାଗି ଚାହୁଁଛନ୍ତି ତା’ହେଲେ ଏଥିପୂର୍ବରୁ ତିରିଶ ବର୍ଷର କାର୍ଯ୍ୟକର୍ତ୍ତା, ସ୍ୱୟଂସେବକ ଏବଂ ସମାଜସେବୀ ଭାବେ ମୋଦୀ ଜୀଙ୍କ ଯାତ୍ରାକୁ ଦେଖିବା ଏବଂ ଜାଣିବା ଜରୁରି । ମୋଦୀ ଜୀ ୩୦ ବର୍ଷ ପର୍ଯ୍ୟନ୍ତ ଗୁଜରାଟ ଏବଂ ଦେଶର ପ୍ରତ୍ୟେକ ଭାଗ ଭ୍ରମଣ କରିଛନ୍ତି, ସମାଜର ସମସ୍ୟାକୁ ବୁଝିଛନ୍ତି ଏବଂ ସେସବୁର ସମାଧାନ ପାଇଁ ଚିନ୍ତା କରିଛନ୍ତି । ସେ ଲୋକମାନଙ୍କୁ ଚିହ୍ନିବା ସହିତ ବିପଦକୁ ଅବସରରେ ବଦଳାଇବାର ଗୁଣ ଏହି ୩୦ ବର୍ଷ ମଧ୍ୟରେ ଶିଖିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଆଦର୍ଶବାଦୀ ନେତା । ସେ ନିଜର ଲକ୍ଷ୍ୟ, ଦେଶ, ଏହାର ଗୌରବ ଏବଂ କଲ୍ୟାଣ ପାଇଁ କାହାର ପରୱା ମଧ୍ୟ କରନ୍ତି ନାହିଁ । ତାଙ୍କର ସବୁଠୁ ବଡ଼ ଯୋଗଦାନ ହେଉଛି ଦେଶରେ ଗଣତନ୍ତ୍ରକୁ ମଜବୁତ କରିବା । ମୋଦୀ ଜୀ ଜଣେ ଦୂରଦର୍ଶୀ ନେତା, ସେ ଖଣ୍ଡିତ ଭାବେ ନୁହେଁ ବରଂ ସମ୍ପୂର୍ଣ୍ଣତାର ସହିତ ଚିନ୍ତା କରିଥାନ୍ତି, ଦୂର ଭବିଷ୍ୟତ କଥା ଚିନ୍ତା କରିଥାନ୍ତି ଏବଂ ଯାହା ଥରେ ମନରେ ଭାବିଥାନ୍ତି ତାହାକୁ ସମ୍ପୂର୍ଣ୍ଣ କରିଥାନ୍ତି । ପରିବାରବାଦ, ତୁଷ୍ଟିକରଣ ଏବଂ ଦୁର୍ନୀତି, ଏହି ତିନୋଟି ବିପତ୍ତି ୬୦ ଦଶକ ପରେ ଦେଶର ରାଜନୀତି ଉପରେ ଆଧିପତ୍ୟ ବିସ୍ତାର କରିବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିଥିଲା । ପରିବାରବାଦ କାରଣରୁ ସାମର୍ଥ୍ୟବାନ ବ୍ୟକ୍ତିକୁ କେବେ ସୁଯୋଗ ମିଳିଲା ନାହିଁ, ତୁଷ୍ଟିକରଣ କାରଣରୁ ସମାଜର ଅନେକ ବର୍ଗ ମଧ୍ୟରେ ଅଭାବ ସୃଷ୍ଟି ହେଲା ଏବଂ ଦୁର୍ନୀତି କାରଣରୁ ଅର୍ଥବ୍ୟବସ୍ଥା ଓ ସମାଜ କଲ୍ୟାଣ ଅଭିଯାନ ମଧ୍ୟ ଫମ୍ପା ହୋଇଚାଲିଲା । ସବୁ ପରିବାରବାଦୀ ଦଳ ପରିବାରବାଦକୁ ପୁଞ୍ଜି କରି ଆଗକୁ ବଢ଼ିଛନ୍ତି; କିନ୍ତୁ ଏହି ୨୦ ବର୍ଷ ମଧ୍ୟରେ ଶ୍ରୀ ନରେନ୍ଦ୍ର ମୋଦୀ ପରିବାରବାଦ ସ୍ଥାନରେ ସାମର୍ଥ୍ୟ, ପରିଣାମ ଏବଂ ପ୍ରଦର୍ଶନ ରାଜନୀତିର ବିକଳ୍ପ ଛିଡ଼ା କରିଛନ୍ତି । ଗଣତନ୍ତ୍ରରେ ପରିବାରବାଦକୁ ସମାପ୍ତ କରିବା ଭଳି ବଡ଼ କାମ କରିଛନ୍ତି ବୋଲି ଶ୍ରୀ ଶାହା କହିଥିଲେ । ସେ ଆହୁରି କହିଥିଲେ ଯେ ଆମ ଦଳ ଦୁଇଥର ଲୋକସଭା ଏବଂ ଦୁଇ ଥର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଗାତାର ଜିତିଛି । ଉତ୍ତର ପ୍ରଦେଶ ଭଳି ରାଜ୍ୟରେ, ଯେଉଁଠି ପରିବାରବାଦ ଏବଂ ଜାତିବାଦର ଚେର ସୁଦୃଢ଼ ହୋଇଥିଲା, ସେଠି ପ୍ରଦର୍ଶନର ରାଜନୀତି ଆଧାରରେ ଲଗାତାର ବିଜୟ ହାସଲ କରିବାର ଅର୍ଥ ନରେନ୍ଦ୍ର ମୋଦୀ ଜୀ ପରିବାରବାଦର ପ୍ରଭାବକୁ ସମ୍ପୂର୍ଣ୍ଣ ସମାପ୍ତ କରି ଦେଇଛନ୍ତି । ଏଣିକି ସବୁ ପରିବାରବାଦୀ ଦଳକୁ ବଦଳିବାକୁ ପଡ଼ିବ ନଚେତ୍‌ ବାରମ୍ବାର ପରାଜୟର ସ୍ୱାଦ ଚାଖିବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ଦେଶର ଜନସାଧାରଣ ଏବେ ପରିବାରବାଦୀ ରାଜନୀତିକୁ ସହ୍ୟ କରିପାରିବେ ନାହିଁ ।

ଶ୍ରୀ ଶାହ କହିଥିଲେ ଯେ, ତୁଷ୍ଟିକରଣର ଅର୍ଥ ଏକ ବିଶେଷ ବର୍ଗକୁ ବିଶେଷ ଲାଭ ପହଞ୍ଚାଇ ଭୋଟ୍‌ ବ୍ୟାଙ୍କ ରୂପରେ ବଦଳାଇବା ଏବଂ ସମସ୍ତଙ୍କୁ ସମାନ ସୁଯୋଗ ଦେବା ଲାଗି ଗଣତନ୍ତ୍ରର ମୂଳ ନିୟମକୁ ଅଣଦେଖା କରି ବିକାଶ ପ୍ରକ୍ରିୟାକୁ କ୍ଷତିଗ୍ରସ୍ତ କରିବା । ମୋଦୀ ଜୀ ତୁଷ୍ଟିକରଣ ରାଜନୀତିକୁ ସମାପ୍ତ କରି ଦେଇଛନ୍ତି, ଆଜି ଦେଶର କୋଟି କୋଟି ଗରିବଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାରେ କେହି ଅଭିଯୋଗ କରିପାରିବେ ନାହିଁ ଯେ ଏହାର ହିତାଧିକାରୀଙ୍କ ମଧ୍ୟରେ କୌଣସି ଭେଦଭାବ କରାଯାଇଛି । ସମସ୍ତଙ୍କୁ ଏକସମାନ ଲାଭ ମିଳିଛି, କିନ୍ତୁ କାହାକୁ ବିଶେଷ ଲାଭ ମିଳିନାହିଁ ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, ନରେନ୍ଦ୍ର ମୋଦୀ ଜୀ ଏ ଦେଶରେ ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବାର ବହୁତ ବଡ଼ କାମ କରିଛନ୍ତି ଏବଂ ଆଜି ୧୩୦ କୋଟି ଭାରତବାସୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଏ କଥାକୁ ନେଇ ଦୃଢ଼ ସଂକଳ୍ପବଦ୍ଧ ଅଛନ୍ତି ଯେ ଦୁର୍ନୀତିରେ ଲିପ୍ତ ଦଳକୁ ସେମାନେ ଭୋଟ୍‌ ଦେବେ ନାହିଁ । ବିଗତ ସରକାର ଅମଳରେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଓ ଘୋଟାଲା ହେବା ପରେ ମୋଦୀ ଜୀ ଶାସନଭାର ସମ୍ଭାଳିଥିଲେ । ବିଗତ ଆଠ ବର୍ଷ ମଧ୍ୟରେ ବିରୋଧୀମାନେ ସରକାରଙ୍କ ବିରୋଧରେ ଗୋଟିଏ ବି ଦୁର୍ନୀତି ଅଭିଯୋଗ ଆଣିପାରି ନାହାନ୍ତି । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସମୟ ସାରା ଦେଶରେ ଏକ ପ୍ରକାର ଆଶଙ୍କା ସୃଷ୍ଟି ହୋଇଥିଲା, ଆତ୍ମବିଶ୍ୱାସ ଚାଲି ଯାଇଥିଲା ଏବଂ ଲୋକମାନେ ଭାବୁଥିଲେ ଯେ ଆମର ବହୁଦଳୀୟ ଗଣତାନ୍ତ୍ରିକ ସଂସଦୀୟ ବ୍ୟବସ୍ଥା ବିଫଳ ହୋଇଛି । ୨୦୧୪ରେ ଦେଶର ଜନତା ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ଦୁଇ ତୃତୀୟାଂଶ ବହୁମତ ସହିତ ୩୦ ବର୍ଷ ପରେ ପୂର୍ଣ୍ଣ ବହୁମତ ବିଶିଷ୍ଟ ସରକାର ଗଠନ ହୋଇଥିଲା । ଏହାପରେ ପରିବର୍ତ୍ତନ ହେଲା, ଦୁର୍ନୀତି ଦୂର ହେଲା, ନିର୍ଣ୍ଣାୟକ ନେତୃତ୍ୱ ମିଳିଲା । ପଲିସି ପାରାଲିସସ ସମାପ୍ତ ହେଲା ଏବଂ ଅନେକ ନୀତି ପ୍ରଣୟନ ହେଲା । ଆଉ ଏବେ ଦେଶ ଆଗକୁ ପ୍ରଗତି ହାସଲ କରୁଛି । ସୁରକ୍ଷା ପାଇଁ ସେମାନଙ୍କ ଘରେ ପଶି ଏୟାର ଷ୍ଟ୍ରାଇକ୍‌ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ମାଧ୍ୟମରେ ଦଣ୍ଡ ଦେବାର ସାହସ ଆଜି ଭାରତ ପାଖରେ ରହିଛି । ଆଜି ସାଧାରଣ ଜନତାଙ୍କ ମଧ୍ୟରେ ଏକ ବିଶ୍ୱାସ ସୃଷ୍ଟି ହୋଇଛି ଯେ ଆମ ଦେଶ ଏହି ସମ୍ବିଧାନ ଅଧୀନରେ, ଏହି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଆଗକୁ ବଢ଼ିପାରିବ ଏବଂ ସାରା ବିଶ୍ୱରେ ସର୍ବୋଚ୍ଚ ସ୍ଥାନକୁ ଯାଇପାରିବ । ଜନସାଧାରଣଙ୍କ ମଧ୍ୟରେ ଏହି ବିଶ୍ୱାସ କେବଳ ନରେନ୍ଦ୍ର ମୋଦୀ ସୃଷ୍ଟି କରିପାରିଛନ୍ତି ।

ଶ୍ରୀ ଅମିତ ଶାହା କହିଥିଲେ ଯେ ମୋଦୀ ଜୀ ଏଥିପାଇଁ ସଫଳ ହୋଇଥାନ୍ତି କାରଣ ତାଙ୍କର ଚିନ୍ତା କରିବାର ଶକ୍ତି ଊର୍ଦ୍ଧ୍ବମୁଖୀ ହୋଇଥାଏ, ଦୀପର ଜ୍ୟୋତି ଭଳି । ସେ କହିଥିଲେ ଯେ, ମୋଦୀ ଜୀଙ୍କ ପରିବାରକୁ କେହି ଜାଣିନାହାନ୍ତି । ତାଙ୍କ ପରିବାର ସାଧାରଣ ଜୀବନଯାପନ କରୁଛି । ୧୩୦ କୋଟି ଜନତା ତାଙ୍କ ପରିବାର । ଯେତେବେଳେ କେହି ୧୩୦ କୋଟି ଲୋକଙ୍କ କଲ୍ୟାଣ ପ୍ରତି ସମର୍ପିତ ହୋଇଥାଏ ସେତେବେଳେ ମୋଦୀ ଜୀଙ୍କ ଭଳି ବ୍ୟକ୍ତି ହୋଇଥାଏ । ମୋଦୀ ଜୀ ପରକୁ ଆପଣାର ବୋଲି ଭାବି ସେମାନଙ୍କ ପାଇଁ ଚିନ୍ତା କରିଥାନ୍ତି ଏବଂ ସେମାନଙ୍କ ଜୀବନ ପାଇଁ ସର୍ବସ୍ୱ ସମର୍ପି ଦେଇଥାନ୍ତି । ଏପରି ସଂସ୍କାର ଖୁବ କମ୍‌ ଲୋକଙ୍କ ପାଖରେ ରହିଛି । ମୋଦୀ ଜୀ ଜଣେ ଅତିସମ୍ବେଦନଶୀଳ ବ୍ୟକ୍ତି । ତାଙ୍କ ମନରେ ଦେଶର ଦଳିତ, ଗରିବ, ଆଦିବାସୀ ଏବଂ ପଛୁଆ ବର୍ଗଙ୍କ ପାଇଁ ଅପାର ସମ୍ବେଦନଶୀଳତା ରହିଛି । ସବୁ ନିଷ୍ପତ୍ତି ନେବା ସମୟରେ ସେ ସର୍ବଦା ଅନ୍ତ୍ୟୋଦୟ ଏବଂ ଗରିବ କଲ୍ୟାଣ ଅନୁସାରେ ସବୁବେଳେ ଗରିବଙ୍କ କଲ୍ୟାଣ ପାଇଁ ଚିନ୍ତା କରିବା ତାଙ୍କର ସ୍ୱଭାବ ପାଲଟିଛି । ଶ୍ରୀ ଶାହା କହିଥିଲେ ଯେ ଜଣେ କର୍ମଠ କାର୍ଯ୍ୟକର୍ତ୍ତା ଯେତେବେଳେ ଦେଶ ବା ଦଳର ନେତୃତ୍ୱ ନିଅନ୍ତି, ବିଜୟ ସୁନିଶ୍ଚିତ ହୋଇଯାଇଥାଏ ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ, ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱରେ ୧୩୦ କୋଟି ଭାରତୀୟଙ୍କ ବିଶ୍ୱାସର ପ୍ରତିନିଧିତ୍ୱ କରୁଛନ୍ତି । ମୋଦୀ ଜୀ ଜଣେ ରାଷ୍ଟ୍ରନେତା ଭାବେ ପ୍ୟାରିସ ରାଜିନାମା ଏବଂ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରିବା ଭଳି ନିଷ୍ପତ୍ତି ନେଇଥିବା ଆମେ ଦେଖିଛୁ । ଯେତେବେଳେ ବିଶ୍ୱରେ ଗ୍ଲୋବାଲ ୱାର୍ମିଂ ଏବଂ ପର୍ଯ୍ୟାବରଣ ବିଷୟରେ ଆଲୋଚନା ହୋଇଥାଏ, ସେତେବେଳେ ମୋଦୀ ଜୀ କୁହନ୍ତି ଯେ ଭାରତ ପଛକୁ ହଟିବ ନାହିଁ । ଏହାପରେ ସବୁ ଦେଶ ପ୍ୟାରିସ ରାଜିନାମାରେ ସ୍ୱାକ୍ଷର କରନ୍ତି । ମିଳିତ ଜାତିସଂଘ ସାଧାରଣ ପରିଷଦରେ ମୋଦୀ ଜୀ ଯୋଗ ଦିବସ ପାଳନର ପ୍ରସ୍ତାବ ଦିଅନ୍ତି ଏବଂ ୭୦ ଦିନ ମଧ୍ୟରେ ବିଶ୍ୱର ୧୭୦ଟି ଦେଶ ଯୋଗ ଦିବସ ପ୍ରସ୍ତାବକୁ ସ୍ୱୀକାର କରିଥାନ୍ତି । ଆଜି ଆମ ସଂସ୍କୃତି ଏବଂ ଯୋଗ ବିଜ୍ଞାନକୁ ସାରା ବିଶ୍ୱ ଗ୍ରହଣ କରି ନେଇଛି । ଏହା ଦର୍ଶାଇଥାଏ ଯେ ଭାରତର ନେତା ଆତ୍ମବିଶ୍ୱାସର ସହିତ ବିଶ୍ୱ ମଞ୍ଚରେ ନିଜ ମତ ଉପସ୍ଥାପନ କଲେ ତାହାର ସ୍ୱୀକୃତି ସେତିକି ସ୍ୱାଭାବିକ ହୋଇଥାଏ ଯେତିକି ବଡ଼ ବଡ଼ ଦେଶର ନେତାଙ୍କ ମତକୁ ଗୁରୁତ୍ୱ ଦିଆଯାଏ । ଶ୍ରୀ ଶାହା କହିଥିଲେ ଯେ, ଟିମ୍‌ ଲିଡର ଭାବେ, ଦେଶର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଜୀ କେବେ ବି କେଉଁ ଦଳର ସରକାର ଅଛି ତାହା ଚିନ୍ତା କରିନାହାନ୍ତି । କରୋନା କାଳରେ କୌଣସି ମୁଖ୍ୟମନ୍ତ୍ରୀଙ୍କ ଫୋନ ଆସିଲେ ତୁରନ୍ତ ଔଷଧ, ଅକ୍ସିଜେନ, ମେଡ଼ିକାଲ ଟିମ କିମ୍ବା କୌଣସି ସହାୟତା ପଠାଇବା ଲାଗି ସଙ୍କୋଚ କରିନଥିଲେ । ଟିମ ଇଣ୍ଡିଆର ଲିଡର ଭାବେ ମୋଦୀ ଜୀ ପ୍ରତ୍ୟେକ ରାଜ୍ୟକୁ ସଂରକ୍ଷିତ ଏବଂ ସମ୍ବର୍ଦ୍ଧିତ କରିବା ଲାଗି ପଦକ୍ଷେପ ନେଇଥିବା ଆମେ ଦେଖିଛୁ । ସେ କହିଥିଲେ ଯେ, ମୋଦୀ ଜୀ ଜଣେ ସମ୍ବେଦନଶୀଳ ରାଜନେତା । ୨୦ ବର୍ଷ ଧରି ମୋଦୀ ଜୀ କେବେ ନିଜ ଘରେ ଦୀପାବଳି ପାଳନ କରିନାହାନ୍ତି । ପ୍ରତ୍ୟେକ ବର୍ଷ ସେ ସୀମାରେ ସେନା ଯବାନଙ୍କ ସହିତ ଦୀପାବଳି ପାଳନ କରିଥାନ୍ତି ଏବଂ ଏହି ଭାବନା ମୋଦୀ ଜୀଙ୍କୁ ମହାନ କରିଛି । ମୋଦୀ ଜୀ ଜଣେ ସାହସୀ ସେନାପତି । ବଡ଼ ବଡ଼ ଆହ୍ୱାନ ସମ୍ମୁଖରେ ସେ ଭାରତର ଗୌରବ ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଚଟାଣ ଭଳି ଦୃଢ଼ ହୋଇଯାଆନ୍ତି ଏବଂ ଅତି କଠୋର ନିଷ୍ପତ୍ତି ନେଇଥାନ୍ତି ।

ଶ୍ରୀ ଅମିତ ଶାହା କହିଥିଲେ ଯେ, ମୋଦୀ ଜୀ ସାଧାରଣ ଓ ସରଳ ଜୀବନଯାପନ କରିଥାନ୍ତି । ସେ ଆଜିର ଯୁଗରେ ଉପଭୋଗ ଶୂନ୍ୟ ସ୍ୱାମୀର ପରିକଳ୍ପନାକୁ ସାକାର କରିଛନ୍ତି । ଏହି କାରଣରୁ ଜନସାଧାରଣ ତାଙ୍କୁ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ସମ୍ମାନ କରୁଛନ୍ତି । ସେ କହିଥିଲେ ଯେ, ୧୩୦ କୋଟି ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ କରିଥିଲେ । ସରକାରଙ୍କ ପକ୍ଷରୁ କୌଣସି କଟକଣା ରହିବ ନାହିଁ, ଦୀପ ଜଳାଇବା ଲାଗି ଲୋକମାନଙ୍କୁ ସେ ନିବେଦନ କରିଥିଲେ । ଥାଳି ବଜାଇ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଲୋକମାନଙ୍କୁ ସମ୍ମାନ ଜଣାଇବାର ଅପିଲ କରିଥିଲେ ଏବଂ ଏସବୁ ଅପିଲକୁ ଜନତାକୁ ସ୍ୱୀକାର କରିଥିଲେ ।

ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରେ ଶ୍ରୀ ନରେନ୍ଦ୍ର ମୋଦୀ ଏପରି ପ୍ରଥମ ପ୍ରଧାନମନ୍ତ୍ରୀ, ଯାହାଙ୍କର ପ୍ରତ୍ୟେକ କଥାକୁ ଜନସାଧାରଣ ସମ୍ମାନର ସହିତ ଗ୍ରହଣ କରିଛନ୍ତି । ସେ କାର୍ଯ୍ୟକର୍ତ୍ତା ଥିବା ସମୟରେ ପରିଶ୍ରମୀ ଥିଲେ ଏବଂ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେ ଆହୁରି ଅଧିକ ପରିଶ୍ରମ କରୁଛନ୍ତି । ଦିନରେ ୧୬ରୁ ୨୦ ଘଣ୍ଟା କାମ କରିଥାନ୍ତି ଏବଂ ସବୁବେଳେ କହିଥାନ୍ତି ଯେ, ପରିଶ୍ରମ କାରଣରୁ ଥକ୍କାପଣ ନୁହେଁ, ବରଂ ସନ୍ତୋଷର ଭାବ ଜାଗ୍ରତ ହୋଇଥାଏ । ଜନତାଙ୍କ ହିତ ପାଇଁ ପରିଶ୍ରମ ମାଧ୍ୟମରେ ଯେତେବେଳେ ଗରିବଙ୍କ ମୁଖମଣ୍ଡଳରେ ହସ ଫୁଟିବ ସେତେବେଳେ ଯାଇ ହୃଦୟରେ ସନ୍ତୋଷର ଭାବ ଜାଗ୍ରତ ହେବ ।  ଏପରି ଭାବନା ନେଇ କାମ କରୁଥିବା ବ୍ୟକ୍ତି ଦୀର୍ଘ ସମୟ ପରେ ଏ ଦେଶକୁ ମିଳିଛି । ଅଧିକ ପରିଶ୍ରମରୁ ସନ୍ତୋଷ ଏବଂ ସନ୍ତୋଷରୁ ପ୍ରାପ୍ତ ଉଜ୍ଜ୍ବଳତାରେ ଆଲୋକିତ ବ୍ୟକ୍ତିତ୍ୱ ନରେନ୍ଦ୍ର ମୋଦୀଙ୍କ ଠାରେ ଆମେ ସମସ୍ତେ ଦେଖିବାକୁ ପାଇଛୁ ବୋଲି ଶ୍ରୀ ଶାହା କହିଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ମୋଦୀ ଜୀ ଗରିବଙ୍କ ପାଇଁ ଚିନ୍ତା କରିଥାନ୍ତି, କର୍ମଠ କାର୍ଯ୍ୟକର୍ତ୍ତା ଭାବେ ସେ ପରିଶ୍ରମ କରିଥାନ୍ତି, ଜଣେ ଟିମ୍‌ ଲିଡର ଭାବେ ସାରା ଦେଶର ନେତୃତ୍ୱ ନେଇଥାନ୍ତି, ଭାବପ୍ରବଣ ରାଜନେତା ଭାବେ ସେ ଅନେକ ଭାବପ୍ରବଣତାପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି, ସାହସୀ ସେନାପତି ଭାବେ ଅବିଚଳିତ ଚଟାଣ ଭଳି ଛିଡ଼ା ହୋଇଥାନ୍ତି । ଉପଭୋଗ ଶୂନ୍ୟ ସ୍ୱାମୀ ହୋଇପାରିଲେ ଯାଇ ଜଣେ ନରେନ୍ଦ୍ର ମୋଦୀ ହୋଇଥାନ୍ତି ।  ନରେନ୍ଦ୍ର ମୋଦୀ ହେବାର ପ୍ରକ୍ରିୟା ବେଶ କଠିନ । ସେ କହିଥିଲେ ଯେ ମୋଦୀଜୀଙ୍କ ନୀତି ମାନବତାରୁ ଜନ୍ମ ନେଇଛି ଏବଂ ସର୍ବ ସମାଜ କଲ୍ୟାଣ ଭାବନା ନେଇ ସେ ନୀତି ପ୍ରଣୟନ କରିଥାନ୍ତି ।  ମୋଦୀ ଜୀଙ୍କ ସଂକଳ୍ପ ହେଉଛି ନୂତନ ଭାରତ ନିର୍ମାଣ । ବିଶ୍ୱର ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ସର୍ବୋଚ୍ଚ ସ୍ଥାନରେ ସ୍ଥାପିତ କରିବାର ସଂକଳ୍ପ ଏବଂ ଶାସନରେ ଭରି ରହିଥିବା କୁରୀତିକୁ ସମାପ୍ତ କରିବାର ଇଚ୍ଛାଶକ୍ତି ତାଙ୍କ ଭିତରେ ରହିଛି । ଜନଭାଗିଦାରୀ ବିନା ଜନସାଧାରଣଙ୍କ ସମସ୍ୟା ସମାଧାନ ହୋଇପାରିବ ନାହିଁ, ଏଥିରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି । ମୋଦୀ ଜୀ କୌଣସି ଯୋଜନା ଆଣିଲେ ସେଥିରେ ଜନ ଭାଗିଦାରୀ ତତ୍ତ୍ବକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ଏବଂ ଜନଭାଗିଦାରୀ କାରଣରୁ ନରେନ୍ଦ୍ର ମୋଦୀଙ୍କୁ ଏତେ ବଡ଼ ସଫଳତା ମିଳିପାରିଛି ।

ଶ୍ରୀ ଅମିତ ଶାହା କହିଥିଲେ ଯେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀ ଜୀ ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଥିଲେ । ସେ କହିଥିଲେ ଯେ ମୋଦୀ ଜୀଙ୍କ ଦୃଷ୍ଟିକୋଣ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ଉପରେ ନିହିତ ଥାଏ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ଏବଂ ସ୍ୱଚ୍ଛତା ସଂସ୍କାରକୁ ନୂଆ ପିଢ଼ି ପର୍ଯ୍ୟନ୍ତ ତୃଣମୂଳସ୍ତରକୁ ନେଇଯିବା ଭଳି କାମ ନରେନ୍ଦ୍ର ମୋଦୀ ଜୀ କରିଛନ୍ତି । ସ୍ୱଚ୍ଛତା ପଛରେ ସ୍ୱାସ୍ଥ୍ୟ ଚିନ୍ତା ରହିଛି ବୋଲି ଦେଶରେ କେହି ଚିନ୍ତା ସୁଦ୍ଧା କରିପାରିନଥିଲେ । କାରଣ ଅପରିଚ୍ଛନ୍ନତା ଥିଲେ ଅନେକ ରୋଗ ସୃଷ୍ଟି ହୋଇଥାଏ । ଏହାପରେ ୧୦ କୋଟି ଘରେ ୫ ବର୍ଷ ମଧ୍ୟରେ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନିତ କରିବା ଏବଂ ଦେଶକୁ ସ୍ୱଚ୍ଛ କରିବାର କାମ ନରେନ୍ଦ୍ର ମୋଦୀ କରିଥିଲେ । ଫିଟ୍‌ ଇଣ୍ଡିଆ ମିଶନ, ଯୋଗ ଦିବସ ପାଳନ ଭଳି କାର୍ଯ୍ୟକ୍ରମ ତାଙ୍କ ଦ୍ୱାରା ଆରମ୍ଭ ହୋଇଛି । ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ୧୫ କୋଟି ପିଲାଙ୍କୁ ଟିକା ଦେବାର କାମ ସେ କରିଛନ୍ତି । ମୋଦୀ ଜୀ ଆୟୁଷ୍ମାନ ଭାରତ ଯୋଜନା ଆଣିଛନ୍ତି କାରଣ ଦେଶରେ ୬୦ କୋଟି ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନାହିଁ । ଏପରି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା ମୋଦୀ ଜୀ ମାଗଣାରେ ଦେଉଛନ୍ତି । ଦେଶରେ ଡାକ୍ତରମାନଙ୍କର ଅଭାବ ରହିଥିଲା, ୫ ବର୍ଷରେ ପ୍ରତ୍ୟେକ ଜିଲ୍ଲା ଗୋଟିଏ କଲେଜ ନିର୍ମାଣ କରିବାର କାମ ସେ ଆରମ୍ଭ କରିଛନ୍ତି । ରେକର୍ଡ ମେଡ଼ିକାଲ ସିଟ୍‌ ବଢ଼ାଇବାର କାମ ସେ କରିଛନ୍ତି । ସ୍ୱାସ୍ଥ୍ୟ ସମସ୍ୟାକୁ ୧୩ଟି ବିନ୍ଦୁରେ ବିଭାଜିତ କରି ସାମଗ୍ରିକ ଭାବେ ଚିନ୍ତା କରିବାର କାମ ମୋଦୀ ଜୀ କରୁଛନ୍ତି । ସେ କହିଥିଲେ ଯେ ଆମେ ସମସ୍ତେ ଦେଖିଛୁ ମୋଦୀ ଜୀ କିପରି ଭାବେ କୋଭିଡ ସମୟରେ ବିପଦକୁ ଅବସରରେ ବଦଳାଇବାର କାମ କରିଛନ୍ତି । ନିଜକୁ ଆମ ଠାରୁ ଆଗରେ ଭାବୁଥିବା ବଡ଼ ବଡ଼ ଦେଶରେ ଟିକାକରଣ ଏଯାଏ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ଆମେ ଆଜି ତୃତୀୟ ଡୋଜ୍‌ ଦେଉଛୁ । ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଆମେ ୨୦୦ କୋଟି ଟିକାକରଣ ସମ୍ପୂର୍ଣ୍ଣ କରିପାରିଛୁ । ଶ୍ରୀ ଶାହା କହିଥିଲେ ଯେ ବିଶ୍ୱର ଖୁବ୍‌ କମ ଦେଶ ଭ୍ୟାକ୍ସିନ ବିକଶିତ କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଭାରତରେ କରୋନାର ୩ଟି ମାମଲା ଆସିବା ପରେ ବୈଜ୍ଞାନିକଙ୍କ ସହ ଅନୁଷ୍ଠିତ ପ୍ରଥମ ବୈଠକରେ ଟିକା ବିକଶିତ କରିବାର ବ୍ୟବସ୍ଥା କରିଥିଲେ । ମୋଦୀ ଜୀ  ଭାରତକୁ ନିବେଶ, ରପ୍ତାନି ଏବଂ ଉତ୍ପାଦନର କେନ୍ଦ୍ର ଭାବେ ପରିଣତ କରିବା ଲାଗି କରୋନା କାଳରେ ଅନେକ ନୀତି ପ୍ରସ୍ତୁତ କରିଛନ୍ତି । ଯାହାର ପରିଣାମ ସ୍ୱରୂପ ଭାରତ ଆଜି ବିଶ୍ୱରେ ସବୁଠୁ ଅଧିକ ବିକାଶ ହାର ଥିବା ଅର୍ଥବ୍ୟବସ୍ଥା ଭାବେ ଆଗକୁ ବଢ଼ୁଛି ।

ଗୃହ ମନ୍ତ୍ରୀ କହିଥିଲେ ଯେ, ମୋଦୀ ଜୀ ଅନେକ ଧାରଣା ଏବଂ ଭ୍ରାନ୍ତିକୁ ଦୂର କରିବା କାମ କରିଛନ୍ତି ଏବଂ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶ ଏହା ଗ୍ରହଣ କରିଥିଲା ଯେ, ଧାରା ୩୭୦ ଉଚ୍ଛେଦ ନହେବା ପର୍ଯ୍ୟନ୍ତ କାଶ୍ମୀର ଭାରତ ସହିତ ସ୍ଥାୟୀ ଭାବେ ଯୋଡ଼ି ହୋଇପାରିବ ନାହିଁ । ୫ ଅଗଷ୍ଟ ୨୦୧୯ ସକାଳେ ନିଷ୍ପତ୍ତି ହେଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଧାରା ୩୭୦ ଏବଂ ୩୫ଏକୁ ସମାପ୍ତ କରି ଦିଆଗଲା । କିଛି ଲୋକ ଆହ୍ୱାନ କରୁଥିଲେ ଯେ ଏପରି ପଦକ୍ଷେପ ନେଲେ ସେଠାରେ ହିଂସାକାଣ୍ଡ ଘଟିବ ଏବଂ ଅନେକ ଲୋକଙ୍କ ଜୀବନହାନି ହେବ କିନ୍ତୁ ଟେକା ଫିଙ୍ଗିବା ଲାଗି ସୁଦ୍ଧା କାହାରି ସାହସ ହୋଇନାହିଁ । ଆଜି କାଶ୍ମୀର ବିକାଶ ମାର୍ଗରେ ଅଗ୍ରସର ହେଉଛି, ସେଠାରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଆଜି କାଶ୍ମୀରରେ ଗଣତନ୍ତ୍ର ନିଜ ମୂଳଦୁଆ ସୁଦୃଢ଼ କରିବାର କାମ କରୁଛି ।

ଶ୍ରୀ ଅମିତ ଶାହା କହିଥିଲେ ଯେ, ରାମ ଜନ୍ମ ଭୂମି ପ୍ରସଙ୍ଗ ୫୫୦ ବର୍ଷ ଧରି କୋଟି କୋଟି ଲୋକଙ୍କ ସମ୍ମାନ ଓ ଆସ୍ଥାର କେନ୍ଦ୍ର ବିନ୍ଦୁ ଥିଲା । ସମସ୍ତେ ଚାହୁଁଥିଲେ ଭଗବାନ ଶ୍ରୀରାମ ଯେଉଁଠି ଜନ୍ମ ନେଇଛନ୍ତି, ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହେଉ । ଏହାର ଶାନ୍ତିପୂର୍ଣ୍ଣ ଏବଂ ସାମ୍ବିଧାନିକ ସମାଧାନ ହେଲା; ୫ ଅଗଷ୍ଟରେ ମୋଦୀ ଜୀ ଶ୍ରୀରାମ ଜନ୍ମ ଭୂମିରେ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ଏବଂ ମନ୍ଦିର ନିର୍ମାଣ ଆରମ୍ଭ ହୋଇସାରିଛି । ଦୃଢ଼ ସଂକଳ୍ପ ନେଇ ସମସ୍ୟା ସମାଧାନ କରାଗଲେ ମାର୍ଗ ଆପେ ଆପେ ପ୍ରଶସ୍ତ ହୋଇଥାଏ ।

ଗୃହ ମନ୍ତ୍ରୀ କହିଥିଲେ ଯେ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଏବଂ ୨୦୧୯ରେ ଦୁଇ ତୃତୀୟାଂଶ ବହୁମତ ସହିତ ଦେଶର ପ୍ରଧାନମନ୍ତ୍ରୀ ହେଲେ ଏବଂ ୨୦୨୪ରେ ମଧ୍ୟ ତାଙ୍କର ବିଜୟ ସୁନିଶ୍ଚିତ । ମୋଦୀ ଜୀ ଯେଉଁ ସ୍ଥାନକୁ ଯାଇଛନ୍ତି, ସେଠାରେ ତାଙ୍କୁ ବିଜୟ ପ୍ରାପ୍ତ ହୋଇଛି । ତାଙ୍କ ସମୟରେ ଦେଶର ଅର୍ଥବ୍ୟବସ୍ଥା ଦ୍ରୁତ ପ୍ରଗତି ହାସଲ କରିଛି । ଆଜି ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱରେ ସର୍ବାଧିକ ୭.୨ ଅଭିବୃଦ୍ଧି ହାର ସହିତ ବିକାଶ ଲାଭ କରୁଛି । ସର୍ବାଧିକ ଜିଏସଟି ସଂଗ୍ରହ ରେକର୍ଡ ହୋଇଛି । ଭାରତ ୨୦୨୨ରେ ସର୍ବାଧିକ ୪୨୧ ବିଲିୟନ ଡଲାର ରପ୍ତାନି କରିଛି । ଭାରତ ସବୁଠୁ ଅଧିକ ୨୫୪ ବିଲିୟନ ଡଲାର ସେବା ରପ୍ତାନି ମଧ୍ୟ କରିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୮୩ ବିଲିୟନ ଡଲାର ପ୍ରତ୍ୟକ୍ଷ ନିବେଶ ଦେଶକୁ ଆସିଛି । ବ୍ୟବସାୟିକ ସୁଗମତା ମାନ୍ୟତାରେ ମଧ୍ୟ ଭାରତ ୧୭୦ତମ ସ୍ଥାନରୁ ୬୩ତମ ସ୍ଥାନରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଏସବୁ ପରିବର୍ତ୍ତନ ଆସିପାରିଛି ବୋଲି ଶ୍ରୀ ଶାହା କହିଥିଲେ ।

ଶ୍ରୀ ଅମିତ ଶାହା କହିଥିଲେ ଯେ, ମୋଦୀ@20 ପୁସ୍ତକ ମୋଦୀ ଜୀଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ସହ ପରିଚୟ କରାଇଥାଏ । ପୁସ୍ତକରେ ଜଣେ ସମ୍ବେଦନଶୀଳ ନେତା, ଉତ୍ତମ ପ୍ରଶାସନ ପାଇଁ କାମ କରୁଥିବା ସଂସ୍କାରକ, ସମାଜର ସମସ୍ୟାକୁ ମୂଳରୁ ସମାପ୍ତ କରୁଥିବା ସମାଜ ସୁଧାରକ ଓ ପ୍ରଶାସକ, ଦଳକୁ ମୂଳରୁ ମଜବୁତ କରିବା ସହ ବିସ୍ତାରିତ କରିବାର କାମ କରିଥିବା ଜଣେ ନେତା ସମେତ ମୋଦୀ ଜୀଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ସହ ଏହି ପୁସ୍ତକ ପରିଚୟ କରାଇଛି । ଶ୍ରୀ ଶାହା କହିଥିଲେ ଯେ ଏହି ପୁସ୍ତକ ଅସମ୍ପୂର୍ଣ୍ଣ କାରଣ ମୋଦୀ ଜୀଙ୍କ ବ୍ୟକ୍ତିତ୍ୱ ବହୁତ ବଡ଼ । ଶ୍ରୀ ଶାହା କହିଥିଲେ ଯେ ଏହା ଦେଶର ସୌଭାଗ୍ୟ ଯେ ସାରା ବିଶ୍ୱ ଯେଉଁ ବ୍ୟକ୍ତିଙ୍କୁ ନେତା ଭାବେ ଗ୍ରହର କରିଛି ଏବଂ ସେ ହିଁ ଆମ ଦେଶର ନେତା ହୋଇ ରହିଛନ୍ତି ଏହା ହିଁ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଗୃହ ମନ୍ତ୍ରୀ କହିଥିଲେ ଯେ, ଏଥିପୂର୍ବରୁ ଦେଶ ସ୍ୱାଧୀନତାର ରୌପ୍ୟ ଜୟନ୍ତୀ ଏବଂ ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ଆସିଛି, କିନ୍ତୁ କେହି ଦେଶର ଭବିଷ୍ୟତ ସହ ଏହାକୁ ଯୋଡ଼ି ଦେଖିନାହାନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମୃତ ମହୋତ୍ସବକୁ ଜନସାଧାରଣଙ୍କ ମହୋତ୍ସବରେ ପରିଣତ କରିଛନ୍ତି । ଆଜି ଛୋଟ ଛୋଟ ପିଲାମାନେ ମଧ୍ୟ ହାତରେ ତ୍ରିରଙ୍ଗା ଧରି ବୁଲୁଛନ୍ତି ଏବଂ ସେମାନଙ୍କ ମନରେ ରାଷ୍ଟ୍ରପ୍ରେମର ଭାବନା ଜାଗ୍ରତ ହୋଇଛି । ଏପରି ଭିଜନ ଏବଂ ସଂକଳ୍ପ ଜଣେ ନେତୃତ୍ୱଙ୍କ ଭିତରେ ସେତିକିବେଳେ ଉଜାଗର ହୋଇଥାଏ ଯେତେବେଳେ ତାଙ୍କ ଜୀବନର ପ୍ରତ୍ୟେକ କ୍ଷଣ ଏବଂ ଶରୀରର ପ୍ରତ୍ୟେକ ରକ୍ତବିନ୍ଦୁ କେବଳ ଭାରତକୁ ସମର୍ପିତ ହୋଇଥାଏ । ମୋଦୀ ଜୀଙ୍କ ରୂପରେ ଆମ ସମସ୍ତଙ୍କୁ ଏପରି ଜଣେ ସମର୍ପିତ ନେତା ମିଳିଛନ୍ତି । ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଥିଲେ ଯେ, ଜୀବନରେ ବଡ଼ ହେବାକୁ ସ୍ୱପ୍ନ ଦେଖୁଥିଲେ ଓଡ଼ିଶାର ଯୁବକମାନେ ମୋଦୀ@20 ପୁସ୍ତକ ନିଶ୍ଚିତ ଭାବେ ପଢ଼ିବା ଉଚିତ । କାରଣ ଏଥିରୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ମିଳିବ ।