ହାତୀ ପୂଜା ପାଉଥିବା ମନ୍ଦିର
ମେଟ୍ରୋ ଟିଭି ଓଡ଼ିଶା,୮/୧: ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। କେବଳ ଭାରତ ନୁହେଁ ଆମ ଦେଶ ବାହାରେ ମଧ୍ୟ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ରହିଛି । ଯାହା ସହିତ ଅନେକ ରହସ୍ୟ ମଧ୍ୟ ଜଡିତ ହୋଇ ରହିଛି । ଏମିତି ବି ମନ୍ଦିର ରହିଛି ଯେଉଁଠି କୌଣସି ଦେବାଦେବୀ ପୂଜା ପାଆନ୍ତିନି। ଝାଡ଼ଖଣ୍ଡରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି କୌଣସି ଦେବାଦେବୀ ପୂଜା ପାଆନ୍ତିନି। ହେଲେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହେଉଥିବା ବିଶ୍ୱାସ ରହିଛି।
ଏହି ମନ୍ଦିର ନାମ ଶୁଣିଲେ ମନରେ ଜାଗ୍ରତ ହୁଏ ଆସ୍ଥା ଭାବ। ଆପଣ ହନୁମାନ, ଶିବ, ଶକ୍ତିଙ୍କ ଭଳି ବହୁ ଦେବାଦେବୀଙ୍କ ନିଆରା ମନ୍ଦିର ବିଷୟରେ ଶୁଣିଥିବେ। ଝାଡଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାରୁ ପ୍ରାୟ ୫୦ କିମି ଦୂରରେ ଥିବା ବୋଡାମ ଉପଖଣ୍ଡରେ ରହିଛି ଏହି ହାତୀ ଖେଡ଼ା ମନ୍ଦିର। ହାତୀଖେଡ଼ା ଅଞ୍ଚଳ ଦଲମା ରେଞ୍ଜରେ ରହିଛି।
କୌଣସି ଦେବାଦେବୀଙ୍କ ବଦଳରେ ହାତୀ ଖେଡ଼ାରେ ହାତୀଙ୍କୁ ପୂଜା କରାଯାଏ। ମନ୍ଦିର ପରିସରରେ ରହିଛି ହାତୀଙ୍କ ଅନେକ ମୂର୍ତ୍ତି। ଏହି ମନ୍ଦିରକୁ ନେଇ ରହିଛି ଅତି ରୋଚକ କାହାଣୀ। କୁହାଯାଏ ପୂର୍ବରୁ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଥିଲା। ଦଲମା ଜଙ୍ଗଲ ସହ ଲାଗି ରହିଥିବା ଗାଁ ଭିତରୁ ହାତୀ ପସି ଧନ ଜୀବନ ନଷ୍ଟ କରୁଥିଲେ। ପୂର୍ବଜ ଏଠାରେ ଚାଷ କରୁଥିଲେ। ଏହି ଅଞ୍ଚଳ ଜଙ୍ଗଲରେ ଭର୍ତ୍ତି ହୋଇ ରହିଥିଲା। ହାତୀ ଉପଦ୍ରବରୁ ବଞ୍ଚିବାକୁ ସ୍ଥାନୀୟ ପୂଜକମାନେ ମାଟିରେ ତିଆରି ହାତୀ ମୂର୍ତ୍ତିକୁ ପୂଜା କରିବାକୁ ଆରମ୍ଭ କଲେ। ଖାସ କଥା ହେଉଛି ଏଠାକାର ପ୍ରସାଦ ନା କେହି ଘରକୁ ନେଇ ପାରିବେ ନା କେହି ମହିଳା ଏହି ପ୍ରସାଦ ଖାଇ ପାରିବେ। ତେବେ ମହିଳାମାନଙ୍କୁ ଏହି ମନ୍ଦିର ପ୍ରସାଦ କାହିଁକି ବାରଣ କରାଯାଇଛି ସନେଇ କୌଣସି ତଥ୍ୟ ନାହିଁ। ଲୋକଙ୍କ ବିଶ୍ବାସରୁ ହିଁ ଏହି ମନ୍ଦିର ପ୍ରସିଦ୍ଧି ଲାଭ କରିଛି।