ଦୁନିଆର ପ୍ରଥମ ବାୟୋନିକ ଆଖି

ଦୁନିଆ ଦେଖିବେ ଦୃଷ୍ଟିହୀନ ବ୍ୟକ୍ତି

ସମଗ୍ର ଦୁନିଆର ବୈଜ୍ଞାନିକ ଦୃଷ୍ଟିହୀନ ଲୋକଙ୍କ ଚିକିତ୍ସା ପାଇଁ ଅନୁସନ୍ଧାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳୁଥିବା ବାୟୋନିକ ଡିଭାଇସଗୁଡ଼ିକ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହୋଇନାହିଁ । କିନ୍ତୁ ମୋନାଶ ୟୁନିଭର୍ସିଟିର ଏକ ଟିମ୍‌ ଦାବି କରିଛନ୍ତି ଯେ ସେମାନେ ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି ଯାହା ଦ୍ୱାରା ଦୃଷ୍ଟିହୀନ ଲୋକମାନେ ପୁଣି ଥରେ ଦେଖି ପାରିବେ । ସେମାନଙ୍କ କହିବା ଅନୁସାରେ ଏହା ହେଉଛି ଦୁନିଆର ପ୍ରଥମ ବାୟୋନିକ ଆଖି ।ମୋନାଶ ୟୁନିଭର୍ସିଟିର ଇଲେକ୍ଟ୍ରିକାଲ ଏବଂ କମ୍ପ୍ୟୁଟର ସିଷ୍ଟମ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଆର୍ଥର ଲୋରି କହିଛନ୍ତି ଯେ, ଆମର ଏହି ଡିଜାଇନ୍ ଆଲୋକର ୧୭୨ ସ୍ପଟ୍ କୁ ସଂଯୋଗ କରି ଏକ ଭିଜୁଆଲ୍ ପ୍ୟାଟର୍ ତିଆରି କରିଥାଏ ଯାହା ଘର ଭିତରେ ଏବଂ ବାହାରେ ଯିବା ପାଇଁ ବ୍ୟକ୍ତିଙ୍କୁ ସୂଚନା ପ୍ରଦାନ କରିଥାଏ । ଏହା ଦ୍ୱାରା ଦୃଷ୍ଟିହୀନ ବ୍ୟକ୍ତି ପରିବେଶକୁ ଏବଂ ତାଙ୍କ ଆଖପାଖରେ ଥିବା ବ୍ୟକ୍ତି ଏବଂ ବସ୍ତୁର ଉପସ୍ଥିତିକୁ ଜାଣି ପାରିବେ ।

ଅନୁସନ୍ଧାନକାରୀମାନେ ମେଣ୍ଢା ମାନଙ୍କରେ ସର୍ବନିମ୍ନ ପାର୍ଶ୍ୱ ପ୍ରତିକ୍ରିୟା ସହ ଆଖିରେ ସଫଳ ଫଳାଫଳ ଦେଖିଛନ୍ତି, ଏହା ନିରାପଦରେ ସେମାନଙ୍କ ମସ୍ତିଷ୍କରେ ଲଗାଯାଇଥିଲା । ବର୍ତ୍ତମାନ ସେମାନେ ପ୍ରଥମ ହ୍ୟୁମାନ କ୍ଲିନିକାଲ୍ ପରୀକ୍ଷା ପାଇଁ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାକୁ ପ୍ରସ୍ତୁତ ହେଉଛନ୍ତି, ଯାହା ମେଲବୋର୍ଣ୍ଣରେ ଆୟୋଜିତ କରାଯିବ ବୋଲି ଆଶା କରାଯାଉଛି ।