ଗୁଗୁଲ୍ ମ୍ୟାପରେ ଯୋଡ଼ିହେବାକୁ ଯାଉଛି ନୂଆ ଫିଚର୍ 

ଯେଉଁ ସ୍ଥାନରେ କାମ କରୁନଥିଲା ଗୁଗୁଲ୍ ମ୍ୟାପ୍ ଏଣିକି କାମ କରିବ ଓ ସଠିକ୍ ବାଟ କଢେଇନେବ । ସହଜ ହେବ ଅଜଣା ସ୍ଥାନକୁ ଯାତ୍ରା । କାରଣ ଗୁଗୁଲ୍ ମ୍ୟାପରେ ଯୋଡ଼ିହେବାକୁ ଯାଉଛି ନୂଆ ଫିଚର୍ । ଏନେଇ ବଡ଼ ଘୋଷଣା କରିଛି ଗୁଗୁଲ୍ । ଭାରତରେ କାମ କରୁଥିବା ଗୁଗୁଲ୍ ମ୍ୟାପରେ ଆଉ ୬ଟି ନୂଆ ଫିଚର୍ ଆଣିବାକୁ ଯାଉଛି ଗୁଗୁଲ୍ । ଯେଉଁ ରାସ୍ତାରେ ଯାତାୟାତ କରିବା କଷ୍ଟକର ଓ ଚାରିଚକିଆ ଯାନ ଯିବା ଏକପ୍ରକାର ଅସମ୍ଭବ ସେହପରି ରାସ୍ତାରେ ଗୁଗୁଲ୍ ମ୍ୟାପ ରାସ୍ତା ଦେଖାଉଥିବାରୁ ଗୁଗୁଲ ମ୍ୟାପକୁ ଦାୟୀ କରାଯାଏ । ଏହି ସମସ୍ୟାର ସମାଧାନ ପାଇଁ ଗୁଗୁଲ୍ ବର୍ତ୍ତମାନ AI ବ୍ୟବହାର କରି ୟୁଜର୍ସଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ସଂକୀର୍ଣ୍ଣ ରାସ୍ତା ଏଡ଼ାଇବା ପାଇଁ ପ୍ରୟାସ କରିବ । ବିଶେଷ କରି ଚାରି ଚକିଆ ଯାନ ଚଳାଉଥିବା ଲୋକଙ୍କୁ ଏହା ଅଧିକ ସହାୟକ ହେବ । ନୂଆ ଫିଚର ସାଟେଲାଇଟ୍ ଇମେଜ୍, ରାସ୍ତାର ସ୍ଥିତି ଓ ଅନ୍ୟ ତଥ୍ୟଗୁଡ଼ିକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି । ଫଳରେ ଡ୍ରାଇଭରଙ୍କୁ ଭିଡ଼ ଅଞ୍ଚଳ ଓ ଅପ୍ରଶସ୍ତ ରାସ୍ତା ବଦଳରେ ଅନ୍ୟ ରାସ୍ତାରେ ବାଟ କଢ଼ାଇନେବ ମ୍ୟାପ୍ । ପ୍ରଥମ କରି ଏହି ନୂଆ ଫିଚର ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ସମେତ ଭାରତର ୮ଟି ସହରରେ ଉପଲବ୍ଧ ହେବ । ଏହାପରେ ଦେଶର ଅନ୍ୟ ଅଞ୍ଚଳରେ ଉପଲବ୍ଧ ପାଇଁ ଯୋଜନା ରହିଛି । ଗୁଗୁଲ ମ୍ୟାପରେ ଅନ୍ୟଏକ ବଡ଼ ସମସ୍ୟା ଦେଖାଯାଏ ଯେତେବେଳେ ରାସ୍ତାରେ ଫ୍ଲାଏଓଭର ଆସିଥାଏ । ଫ୍ଲାଏଓଭର ରାସ୍ତାରେ ଯିବା ଉଚିତ ହେବ କି ନାହିଁ ଗୁଗୁଲ୍ ମ୍ୟାପ୍ ସ୍ପଷ୍ଟ କରିପାରେ ନାହିଁ । ଏହି ସମସ୍ୟାକୁ ମଧ୍ୟ ଦୃଷ୍ଟିରେ ରଖି ଭାରତର ୪୦ଟି ସହରର ବିଭିନ୍ନ ରୁଟ୍ ରେ ଫ୍ଲାଏଓଭରକୁ ସ୍ଥାନ ଦିଆଯାଇଛି । ଫଳରେ ନୂଆ ଫିଚର ଅନୁସାରେ ଗୁଗୁଲ୍ ମ୍ୟାପ୍ ସହାୟତାରେ ଯାତ୍ରା ସମୟରେ ଫ୍ଲାଏଓଭର ଆସିବା ପୂର୍ବରୁ ଡ୍ରାଇଭରଙ୍କୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ସୂଚନା ମିଳିଯିବ ।