୫ଟି ସଚିବଙ୍କୁ କାଳିମାଡ଼ ଘଟଣା: ଅଭିଯୁକ୍ତ ଭାସ୍କର ସାହୁଙ୍କୁ ଛାଡ଼ିଦେଲା ପୁଲିସ

ସାକ୍ଷୀଗୋପାଳ: ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୁଲିସ ଛାଡ଼ି ଦେଇଛି।  ଦୁଃଖ ପ୍ରକାଶ କରିବା ପରେ ତାଙ୍କୁ ବଡ଼ଭାଇ ଧନେଶ୍ବର ସାହୁଙ୍କ ବ୍ୟକ୍ତିଗତ ମୁଚାଲିକା ପରେ ପୁଲିସ ଛାଡ଼ି ଦେଇଥିବା ସୂଚନା ରହିଛି। ଆଜି ସକାଳେ ଭାସ୍କର ସାହୁଙ୍କ ବଡ଼ଭାଇ ଧନେଶ୍ବର ସାହୁ ଓ ଗାଁର ୫ଜଣ ମୁରବି ତାଙ୍କୁ ସାକ୍ଷୀଗୋପାଳ ଥାନାରୁ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ନିଜ ଗାଁକୁ ନେଇଛନ୍ତି।

ଗତକାଲି  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ କାଳିମାଡ଼ କରିଥିଲେ। ଭିଡ଼ ଭିତରୁ ଭାସ୍କର ତାଙ୍କ ଉପରକୁ ଏକ ପିଚକାରୀରେ କାଳିମାଡ଼ କରିଥିଲେ। କାଳି ସିଧାସଳଖ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଭାସ୍କର ବଡ଼ାଲ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ଘଟଣା ପରେ ପୁଲିସ ତାଙ୍କୁ ଅଟକ ରଖିବା ସହ ପୁରୀର କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା।

ଭାସ୍କର ଜଣେ ଏଲ୍‌ଆଇସି ଏଜେଣ୍ଟ୍‌।  ଦୟା ନଦୀ ସୁରକ୍ଷା ଅଭିଯାନ ନାମରେ ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟ ଜାରି ରଖିଥିଲେ। ଭୁବନେଶ୍ୱର ମହାନଗରର ପ୍ରଦୂଷିତ ଗଙ୍ଗୁଆ ନାଳ ଜଳ ଦୟା ନଦୀରେ ପ୍ରବେଶ କରୁଛି। ଏହାକୁ ମଧ୍ୟ ସେ ବିରୋଧ କରିବା ସହିତ ଦୟା ନଦୀର ସୁରକ୍ଷା ନିମନ୍ତେ ସେ ୫-ଟି ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ, ନିକଟରେ ବଡାଲ୍‌ରୁ ହରିପୁର ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ସେ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ପାଇପ ବିଛା ଯାଇଥିଲା। କୌଣସି କାରଣରୁ ଏହା ଅଧାରେ ଅଟକି ରହିଛି। ଏସବୁ ଅସନ୍ତୋଷର ପ୍ରତିଫଳନ ସ୍ବରୂପ ସେ ଏଭଳି କାଳିମାଡ଼ କରିଥିବା ତାଙ୍କ ପତ୍ନୀ ମଧ୍ୟ କହିଛନ୍ତି ।