ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ନିର୍ମଳା ସୀତାରମଣ: ‘ମୋ ମାଟି ମୋ ଦେଶ’ ଅଭିଯାନ ଆରମ୍ଭ କଲେ
ମୁଣ୍ଡରେ କଳସ ରଖି ମାଟି ସଂଗ୍ରହ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ। ଶ୍ରୀମତୀ ସୀତାରମଣ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପେଣ୍ଠକଟା ନିକଟସ୍ଥ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ।ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସହିଦ୍ ସ୍ବାଧୀନତା ସଂଗ୍ରାମୀ ଓ ବୀର ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଛି ‘ମୋ ମାଟି ମୋ ଦେଶ’ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସୀତରମଣ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ସହିଦ୍ ଜୟୀ ରାଜଗୁରୁଙ୍କ ଜନ୍ମମାଟି ପୁରୀ ସଦର ବ୍ଲକ୍ ବୀରହରେକୃଷ୍ଣପୁର ଗାଁ’ରୁ ମାଟି ସଂଗ୍ରହ କରିବା ସହ ବୀର ଯବାନଙ୍କ ପରିବାରଙ୍କୁ ସମ୍ମାନିତ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଛନ୍ତି। ଅପରାହ୍ନରେ ହୋଟେଲ ମେ’ ଫେୟାରରେ ଆୟୋଜିତ କାର୍ଯ୍ୟକ୍ରମରେ କୁଇ ଓ ଦେଶୀୟ ଭାଷା ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ସୋଆ ବିଶ୍ୱବିଦ୍ୟାଳୟ ସଭାଗୃହରେ ଆୟୋଜିତ ବିଂଶତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ।