ଓଡ଼ିଶା କଂଗ୍ରେସର ଅନେକ ବରିଷ୍ଠ ନେତା ମୋକିମଙ୍କ ଚିଠି ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବାକୁ ନେଇ ମଧ୍ୟ ଏଆଇସିସି ଅବଗତ ରହିଛି। ଏସବୁ ଉପରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟ ବିଶେଷ ଭାବେ ନଜର ରଖି ସମସ୍ତ ଘଟଣାକୁ ଅନୁଧ୍ୟାନ କରିଛନ୍ତି। ମହମ୍ମଦ ମୋକିମ୍ ଯେଉଁଭଳି ଭାବେ ଖଡ଼୍ଗେ ଓ ରାହୁଲଙ୍କୁ ଆକ୍ଷେପ କରି ତାହାକୁ ଗଣମାଧ୍ୟମରେ ପ୍ରଘଟ କରିଛନ୍ତି, ତାହାକୁ ଏଆଇସିସି ଆଦୌ ସହ୍ୟ କରିବା ଉଚିତ ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଜଣାଇ ଦେଇଛନ୍ତି।
କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ନୂଆଦିଲ୍ଲୀରେ ସେ କହିଛନ୍ତି, ଯେଉଁମାନେ ବିଜେପି ସଂପର୍କରେ ଅଛନ୍ତି, ସେମାନେ ଚାଲିଯିବା ଦରକାର। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼୍ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି। ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ।କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ଏଆଇସିସିର ଅନେକ ବରିଷ୍ଠ ନେତା ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି।
ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀଙ୍କ ଭଳି ଏଆଇସିସିର ବରିଷ୍ଠ ନେତାମାନେ ଏହାକୁ ନେଇ କ୍ଷୁବ୍ଧ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଣାପଡ଼ିଛି ଭକ୍ତ ଦାସ ଏହି ପ୍ରସଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଏ ସମସ୍ତ ପ୍ରସଙ୍ଗ ଉପରେ ଆଜି କଂଗ୍ରେସ ସଭାପତି ଓ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ଭାବେ ଅବଗତ କରାଯାଇଛି।