ମହିଳା ନିଖୋଜ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆଶାଜନକ ନୁହେଁ !

ଭୁବନେଶ୍ବର: ଏନସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ହୋଇଛନ୍ତି । ଏସବୁ ମହିଳା ଏବେ କେଉଁଠି? କଣ କରୁଛନ୍ତି?ସେମାନଙ୍କ ଜୀବନ କିପରି ବିିତୁଛି? କେଉଁଠି ନିର୍ଯାତନାର ଶିକାର ହେଉଛନ୍ତି ? ଏହାର ଉତ୍ତର କାହା ପାଖରେ ନାହିଁ । ହଜାର ହଜାର ପରିବାର ଏଥିପାଇଁ ଚିନ୍ତାରେ ଜୀବନ କାଟୁଛନ୍ତି । ମହିଳା, ଶିଶୁଙ୍କ ଫେରିବା ବାଟକୁ ଅପେକ୍ଷା କରିଛନ୍ତି । ତେବେ ପୋଲିସ, ସରକାର ଏସବୁ ପାଇଁ ଯେତେ ତତ୍ପର ହେବା କଥା ସେତେ ହେଉନାହାଁନ୍ତି । ନିଖୋଜ ଶିଶୁ ଓ ମହିଳାଙ୍କୁ ଖୋଜି ଉଦ୍ଧାର କରିବା ଏବଂ ଶିଶୁ ଓ ମହିଳାଙ୍କ ପ୍ରତି ଘଟୁଥିବା ମାମଲାଗୁଡ଼ିକର ସ୍ୱତନ୍ତ୍ର ତଦନ୍ତ ଲାଗି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିନରେ ସ୍ୱତନ୍ତ୍ର ସଂସ୍ଥା ଗଠନ ପାଇଁ  ବହୁ ଦିନରୁ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି  । କିନ୍ତୁ ଏହି ଦାବି କେନ୍ଦ୍ର ସରକାର କି ରାଜ୍ୟ ସରକାରଙ୍କ କାନରେ ବାଜୁନାହିଁ । ବର୍ଷ ବର୍ଷ ଧରି ନିଖୋଜ ପରିବାର ସଦସ୍ୟଙ୍କୁ ହରାଇ ସାଧାରଣ ଲୋକ ଆଖିରୁ ଲୁହ ଗଡ଼ାଇ ଏଥାନାରୁ ସେ ଥାନା ହେଉଛି ।  କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଏହି ସମସ୍ୟା ଦିନକୁ ଦିନ ଭୟଙ୍କର ଅବସ୍ଥା ଆଡ଼କୁ ଗତି କରୁଛି । ରାଜ୍ୟରେ ଯେତେ ଅପରାଧ ଘଟୁଛି ସେ ସବୁର ନିୟନ୍ତ୍ରଣ, ତଦନ୍ତ ଓ ମାମଲା ପରିଚାଳନା ସୀମିତ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ନେଇ କରିବା ସମ୍ଭବପର ହେଉନାହିଁ । ଏଥିରେ ମହିଳା ନିଖୋଜଙ୍କ କଥା ପଚାରେ କିଏ?  ଜନସାଧାରଣ ଙ୍କ ହିତ ଦୃଷ୍ଟିରୁ ଅପରାଧ ଓ ମାମଲା ସଂଖ୍ୟାକୁ ଆଖି ଆଗରେ ରଖି ବିଭିନ୍ନ ପାହ୍ୟାରେ ଦକ୍ଷ ପୋଲିସ ସହ ପେଶାଦାରୀ ଦକ୍ଷତାର ବିକାଶ ଉପରେ କେହି ଗୁରୁତ୍ବ ଦେଉନାହାଁନ୍ତି । ପୋଲିସ ରାଜନେତାଙ୍କ ହାତବାରିସି ହୋଇ କାମ କରୁଥିବାରୁ ଏ ଦିଗରେ ଯେଉଁଭଳି କାମ ହେବା କଥା ହେଉନାହିଁ ।

ଓଡ଼ିଶାରେ ବର୍ଷକୁ ବର୍ଷ ନିଖୋଜ ମହିଳା ଏବଂ  ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏନସିଆରବି ରିପୋର୍ଟରେ ପ୍ରତିଥର ପ୍ରକାଶ ପାଉଛି । ତଦନ୍ତ କରି ଉଦ୍ଧାର କରିବା କିନ୍ତୁ ଯେମିତି ହେବା କଥା ହେଉନଥିବା ରିପୋର୍ଟ କହୁଛି ।  ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟମାନ ଖୋଲି ତାହାର ତୁରନ୍ତ ଫଇସଲା କରାଯିବା ଲାଗି ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ସରକାର ଦୃଷ୍ଟି ଦେଉନାହାଁନ୍ତି ।

ଓଡ଼ିଶାରେ ବର୍ଷକୁ ବର୍ଷ ନିଖୋଜ ମହିଳା ଓ ଶିଶୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶର ବହୁ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ସାଙ୍ଘାତିକ ରହିଛି । ସାରା ଦେଶରେ ଏବେ ପ୍ରାୟ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ପାଖାପାଖି ସାଢେ ୩ ଲକ୍ଷ ଥିବା ବେଳେ ନିଖୋଜ ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୨୦ ହଜାରରୁ ଅଧିକ ।

ଏବେ ବି ଆମ ରାଜ୍ୟରେ  ନିଖୋଜ ଅଛନ୍ତି ୧୯ ହଜାର ୧୭୫ ମହିଳା  । ସେହିଭଳି ସର୍ବଭାରତୀୟ ସ୍ତରରେ ନିଖୋଜ ମହିଳା ଉଦ୍ଧାର ହାର ୫୬.୨ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏ ହାର ହାର ମାତ୍ର ୪୬. ୭ ପ୍ରତିଶତ । ଯାହାକି ରାଜ୍ୟରେ ନିଖୋଜ ମହିଳାଙ୍କୁ ଉଦ୍ଧାର କ୍ଷେତ୍ରରେ ପୋଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି ।

ସେହିଭଳି ୧୮ ବର୍ଷରୁ କମ୍ ବୟସର ଯୁବତୀ ଚାଲାଣ କ୍ଷେତ୍ରରେ ମଧ୍ୟରେ ଢେର ଆଗରେ ରହିଛି ଓଡ଼ିଶା । ଏପରିକି ଏହି ବର୍ଗର ଝିଅଙ୍କୁ ଉଦ୍ଧାର ହାର ୬୫.୫ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏ ହାର ୬୧.୬ ପ୍ରତିଶତ  । ଗତ ମାର୍ଚ୍ଚ ୨୦ ତାରିଖରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଗତ ୫ ବର୍ଷର ତଥ୍ୟ ଦେଇ ରାଜ୍ୟରେ ଏବେ ବି ୨୬ ହଜାର ୨୪୭ ମହିଳା ଓ ୩ ହଜାର ୭୯୧ ଝିଅଙ୍କୁ ଉଦ୍ଧାର କରାଯାଇ ପାରିନଥିବା ସ୍ୱୀକାର କରିଥିଲେ ।

ସେପଟେ ମାନବ ଚାଲାଣରେ ବି ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଖରାପ ବୋଲି ଏନସିଆରବି ରିପୋର୍ଟ ଦର୍ଶାଇଛି । ମାନବଚାଲାଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର ୮୪.୭ ପ୍ରତିଶତ ହୋଇଥିବାବେଳେ ଓଡ଼ିଶାରେ ଏହା ମାତ୍ର ୭୦.୪ ପ୍ରତିଶତ ରହିଛି । ଅନେକ କ୍ଷେତ୍ରରେ ସାମାଜିକ କାରଣରୁ ବା ଭୟରେ ଲୋକେ ମାମଲା ଥାନାରେ ଦାଖଲ କରୁନାହାଁନ୍ତି ।