ବିଆରଏସକୁ ନେଇ ରାଜନୀତି ଜୋର ଧରିଲା

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବିଆରଏସ କୁ ନେଇ ଚର୍ଚା ଜୋର ଧରିଛି । ଓଡ଼ିଶାରେ ବିଜେଡି ସରକାର ସମୟରେ ଅସନ୍ତୁଷ୍ଟ ବିଜେପି, ବିଜେଡି, କଂଗ୍ରେସ ନେତାଙ୍କୁ ନେଇ  ବିଆରଏସ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ରଣନୀତି କରିସାରିଛି ।

ଦକ୍ଷିଣରେ ତେଲୁଗୁ ଭୋଟ କାଟିବା ସହ ନିଜର ଆଧିପତ୍ୟ ପାଇଁ ଏହି ଦଳ ପାଣି ଭଳି ଟଙ୍କା ଖର୍ଚ କରିବ ବୋଲି ମଧ୍ୟ ଚର୍ଚା ହେଉଛି । ବିଶେଷ କରି ଗରିବ ପରିବାର ଭୋଟ ଉପରେ ଏହି ଦଳ ଆଖି ରଖିଛି । ନୂଆ ଚେହେରା ସହ ପୁରୁଣା ନେତାଙ୍କୁ ଏହି ଦଳରେ ସାମିଲ କରିଛନ୍ତି ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ।

ସାମିଲ ହୋଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଗିରିଧର ଗମାଙ୍ଗ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ । ପୂର୍ବତନ ସାଂଦସ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ନବୀନ ନନ୍ଦ, ବୃନ୍ଦାବନ ମାଝୀ, ରାଘବ ସେଠୀ, ଦେବରାଜ ସେଠ, ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, କୈଳାଶ ମୁଖୀ, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ , ଏକାଧିକ ଯୁବ ଛାତ୍ର , ଆଇନଜୀବୀ ପ୍ରମୁଖ ସାମିଲ ହୋଇଛନ୍ତି । ବିଆରଏସ ଯେଉଁ ସ୍ବପ୍ନ ନେଇ ଓଡ଼ିଶା ରାଜନୀତିରେ ପାଦ ଦେଇଛି ତାହା ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ବିଜେଡି ଭୋଟ କମିଲେ କିଛି ବିଧାୟକ ହାରିଯାଇପାରନ୍ତି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭୋଟ କଟିଲେ ଏହା ବିଜେଡି ପାଇଁ ନିଶ୍ଚୟ ସମସ୍ୟା କରିବ । ତେବେ ଆଗାମୀ ଦିନରେ ବିଆରଏସ ରାଜ୍ୟରେ କିପରି ରଣନୀତି କରି ଲୋକଙ୍କ ପାଖକୁ ଯାଉଛି କେତେ ଭୋଟ ପାଉଛି ତାହା ଦେଖିବାକୁ ବାକି ରହିଲା ।