ବାହାନଗା ରେଳ ଦୁର୍ଘଟଣା ମାମଲାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ
ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ୩ ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିବା ପରେ ଭୁବନେଶ୍ବରରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଛି । ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ବରିଷ୍ଠ ସେକ୍ସନ୍ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଂଜିନିୟର ମହମ୍ମଦ ଅମୀର ଖାନ ଏବଂ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କୁ ଭୁବନେଶ୍ୱରର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ସିବିଆଇ ଅଭିଯୁକ୍ତମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ଦୁର୍ଘଟଣା ଘଟିବାର କିଛି ଘଣ୍ଟା ଆଗରୁ ବାହାନଗା ବଜାର ରେଳ ଷ୍ଟେସନ୍ ନିକଟ ରେଳଫାଟକ-୯୪ର ଇଲେକ୍ଟ୍ରୋନିକ୍ ଲିଫ୍ଟିଂ ବେରିୟର ମରାମତି କାର୍ଯ୍ୟ ହୋଇଥିଲା। ସେହି ସମୟରେ ସିଗ୍ନାଲିଂ ସର୍କିଟ୍ ବଦଳାଯିବାରେ ବୈଷୟିକ ତ୍ରୁଟି ରହିଥିଲା। ସିଆର୍ଏସ୍ ରିପୋର୍ଟକୁ ଆଧାର କରି ଉକ୍ତ ଗିରଫଦାରୀ ହୋଇଥିବା କୁହାଯାଉଛି। ଶ୍ରୀ ମହାନ୍ତ, ଶ୍ରୀ ଖାନ ଓ ଶ୍ରୀ କୁମାରଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ସହ ଦୁର୍ଘଟଣା କାରଣ ଜାଣି ମଧ୍ୟ ଲୁଚାଇଥିବା ଅଭିଯୋଗ ରହିଛି। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।