ପୁଣି ଗୋଟିଏ ମୁଣ୍ଡ ନେଲା କଟକର ମୁକୁଳା ଡ୍ରେନ୍
କଟକ: ଅବହେଳା କାରଣରୁ ଜଣକ ପରେ ଜଣଙ୍କର ଜୀବନ ନେଉଛି ମୁକୁଳା ଡ୍ରେନ । ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିଯିବାରୁ ନରସିଂହା ରାଓ ନାମକ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବକ୍ସିବଜାର ନିକଟ ବାରପଥର ଅଞ୍ଚଳରେ ଥିବା ବଡ଼ ମୁକୁଳା ଡ୍ରେନ୍ ପାର୍ଶ୍ବରେ ନରସିଂହ ସଫେଇ କରୁଥିଲେ। ସେ ଜାଇକା ପ୍ରକଳ୍ପ କାମରେ ନିୟୋଜିତ ଥିଲେ। ସଫେଇ କାମ କଲା ବେଳେ ଭୁଲବଶତଃ ତାଙ୍କର ଗୋଡ଼ ଖସିଯାଇଥିଲା। ଡ୍ରେନ୍କୁ ଖସି ପଡ଼ିଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିଛି ମାସ ମଧ୍ୟରେ ଡ୍ରେନ୍ରେ ପଡ଼ି ୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତେଜିତ ଲୋକେ ବକ୍ସିବଜାର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।