କଟକରେ ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା, ଚେତୁନି ସିଏମସି

କଟକ:  କଟକ ନିମସାହିରେ ଥିବା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଥିବା ବେଳେ ଏହି ଘଟଣାକୁ ନେଇ ଥାନାରେ ମାମଲା ହୋଇଛି। ମୃତ ଯୁବକ ହେଲେ ରାହୁଲ। ତାଙ୍କ ଘର ରାଜସ୍ଥାନରେ। ଲଗାଣ ବର୍ଷା ଯୋଗୁଁ ଡ୍ରେନ୍‌ରେ ଅଧିକ ପାଣି ଜମିରହିଥିଲା। ଆଉ ସେ ଡ୍ରେନରେ ପଡିଯାଇଥିଲେ । ଯୁବକ ଜଣକ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସୁଥିବାବେଳେ ଡ୍ରେନ୍‌ରେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨୦୨୩ ମେ ମାସରେ ବକ୍ସ ଡ୍ରେନରେ ଫସି ଜଣେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ମାମଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ସିଏମସିର ୨ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲା ।

ଶନିବାର ରାତିରେ ଏପରି ଅଘଟଣ ଘଟିଛି ।  ମୁକୁଳା ଡ୍ରେନରେ ଖସି ପଡ଼ି ୨୧ ବର୍ଷୀୟ ଯୁବକ ରାହୁଲଙ୍କ ମୃତ୍ୟୁ ହୋଇଛି ।  ସେ କଟକର ଝୋଲାସାହିରେ ସମ୍ପର୍କୀୟଙ୍କ ସହ ରହୁଥିଲେ । ଗତକାଲି ପ୍ରବଳ ବର୍ଷାରେ କଟକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ସନ୍ଧ୍ୟାରେ ରାହୁଲ୍ ଚା ପିଇ ଫେରିବା ବେଳେ ମୁକୁଳା ଡ୍ରେନରେ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ରାହୁଲଙ୍କ ମୃତ୍ୟୁ ପରେ ତାଙ୍କ ବାପା ପୁରୀଘାଟ ପୋଲିସ ଥାନାରେ ଏତଲା ଦେଇଛନ୍ତି । ଘଟଣା ପାଇଁ ସେ ସରକାର ଓ ସିଏମସି ପ୍ରଶାସନକୁ ଦାୟୀ କରିଛନ୍ତି । ସ୍ଥାନୀୟ କର୍ପୋରେଟର କହିଛନ୍ତି, ଏହି ଡ୍ରେନଟି ଫନି ବାତ୍ୟା ସମୟରେ ଭାଙ୍ଗି ଯାଇଥିଲା । ଏନେଇ ସିଏମସିକୁ ଜଣାଇଥିଲି । ସୂଚନା ଅନୁସାରେ, ୧.୪ କୋଟି ଟଙ୍କାରେ ପୁନଃନିର୍ମାଣ କାମ ହେଉଛି । ଜାଇକା ଟେଣ୍ଡର ପାଇଥିବା ବେଳେ କାମ କରିବାରେ ବିଫଳ ହୋଇଥିବା କହିଛନ୍ତି କର୍ପୋରେଟର ।