ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ମାଣ୍ଡିଆ ଦିବସ’ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି ମାଣ୍ଡିଆ ଆମ ଓଡ଼ିଶାର ଗୌରବ, ଆମ ଚାଷୀ ଭାଇ ଭଉଣୀଙ୍କ ପରିଶ୍ରମର ଫଳ ଏବଂ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆସନ୍ତୁ, ଏହାର ପ୍ରଚାର ପ୍ରସାର କରି ସୁସ୍ଥ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନ କରିବା ।

ରାଜ୍ୟରେ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ପୋଷକ ତତ୍ତ୍ବରେ ଭରପୁର ରହିଛି ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା ।
ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଚାଉଳ ଓ ଗହମ ଭଳି ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଥାଳିରେ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।