ଭୁବନେଶ୍ବର: ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ ଏବଂ ମେୟରଙ୍କୁ ନିମନ୍ତ୍ରଣ କରାଗଲା । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । କାହିଁକି ନିମନ୍ତ୍ରଣ କରାଗଲା ନାହିଁ ତାହାର ଉତ୍ତର ମିଳିଛି ।
ଭୁବନେଶ୍ଵର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ପାଳନ ହେଉଛି ୭୩ ତମ ରାଜ୍ୟ ସ୍ତରୀୟ ବନ ମହୋତ୍ସବ। ମହୋତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା, ଦୁଇ ବିଧାୟକ ଏବଂ ଭୁବନେଶ୍ଵର ମେୟରଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ନିମନ୍ତ୍ରଣ ପତ୍ରରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କର ନାଁ ନଥିଲା। ଏହାକୁ ନେଇ ତେରେଚ୍ଛା ବାଣ ସରକାରଙ୍କୁ ମାରିଥିଲେ ସାଂସଦ ଅପରାଜିତା । ତେଣେ ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ତାଙ୍କ କହିବା କଥା ଯେସାକୁ ତେସା ।
ଏହାର ମାନେ ହେଉଛି ଦିନେ ଅପରାଜିତା ଷଡ଼ଙ୍ଗି କାର୍ଯ୍ୟକ୍ରମ କରିବା ବେଳେ ବିଜେଡି ନେତାଙ୍କୁ ଡାକିନଥିଲେ । ତାଙ୍କୁ ଅସମ୍ମାନ କରାଯାଇଥିଲା ବୋଲି କହିଛନ୍ତି ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ।
ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ସାଂସଦ ଅପରାଜିତାଙ୍କୁ ଡକା ନ ଯିବା ପ୍ରସଙ୍ଗରେ ପୂର୍ବର କେତେକ ଉଦାହରଣ ଦେଇ ରୋଷ ବଖାଣିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମାତ୍ର କାହିଁକି ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଇନି ସ୍ପଷ୍ଟ ଭାବେ କହିନାହାଁନ୍ତି । ମନ୍ତ୍ରୀ କହିବା କଥା ପୋଖରୀପୁଟ ଓ କଳିଙ୍ଗ ବିହାରରେ କେନ୍ଦ୍ରୀୟ ବିଦ୍ୟାଳ ଉଦ୍ଘାଟନକୁ ତାଙ୍କୁ ଡକାଯାଇ ନ ଥିଲା । ଯେହେତୁ ସେ ବିଧାୟକ ଅଛନ୍ତି ତାଙ୍କୁ ଡାକିବା କଥା । ଆଉ ଗୋଟେ ହେଲା ସାଂସଦ ହିସାବରେ ଲିଙ୍ଗରାଜ ସ୍ୱତନ୍ତ୍ର ପରିଚାଳନା ଆକ୍ଟ କୁ ସାଂସଦ ସହଯୋଗ କରି ନାହାନ୍ତି । ଏନଏମଏ ଆକ୍ଟକୁ ନେଇ ଲିଙ୍ଗରାଜ ଆକ୍ଟ ସହ ଯୋଡ଼ି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ତେଣୁ ସରକାର ତାଙ୍କଭ ଉପରେ ଅସନ୍ତୁଷ୍ଟ ଥିବା ପରୋକ୍ଷରେ ପ୍ରକାଶ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।
ଏହାର ମାନେ ହେଉଛି ସାଂସଦ ଯେହେତୁ ଭୁବନେଶ୍ବର ବିଧାୟକଙ୍କୁ ଅଣଦେଖା କରିଥିଲେ । ସେହି ନ୍ୟାୟରେ ଭୁବନେଶ୍ବର ସାଂସଦଙ୍କୁ ବିଜେଡି ଡାକିବାର ଆବଶ୍ୟକତା ମଣୁନାହିଁ । ଅବଶ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ଖୋଲିକି ଏକଥା କହିନାହାଁନ୍ତି । ତାଙ୍କ କହିବାର ଅର୍ଥ ବୁଝିବାକୁ ପଡିବ ଯେ ଯେସା କୁ ତେସା ନ୍ୟାୟରେ ସାଂସଦ ଅପରାଜିତାଙ୍କୁ ନିମନ୍ତ୍ରଣ ପଠାଯାଇନାହିଁ ।
ଏଠାରେ ସୂଚନାଯୋଗ୍ୟ ଯେ ସାଂସଦ ଅପରାଜିତା ଏବଂ ବିଜେପି କର୍ପୋରେଟରଙ୍କୁ ଆଜି ବନୋ ମହୋତ୍ସବର ଉଦଘାଟନ ଉତ୍ସବକୁ ଡକାଯାଇ ନଥିଲା । ଯାହା ଫଳରେ କାର୍ଯ୍ୟକ୍ରମ ସମ୍ପର୍କରେ ଅପରାଜିତା ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାରୁ ବଞ୍ଚିତ ରଖାଯାଉଛି ବୋଲି ସେ କହିଥିଲେ । ରାଜ୍ୟ ସରକାର ଅସୁରକ୍ଷିତ ମନେ କରୁଛନ୍ତି, ନା ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଜଣେ ସାଂସଦଙ୍କ ପ୍ରତି ଏଭଳି ବ୍ୟବହାର ସରକାରଙ୍କ ଅହଙ୍କାରକୁ ପଦାରେ ପକାଇଛି ବୋଲି ଅପରାଜିତା ଷଡ଼ଙ୍ଗି କ୍ଷୋଭର ସହ ଟୁଇଟ କରି ପ୍ରକାଶ କରିଥିଲେ ।
ଏହାକୁ ବିରୋଧ କରି ବିଜେପି କର୍ପୋରେଟର କଳା ବ୍ୟାଚ ପିନ୍ଧି ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ବନ ମହୋତ୍ସବ ଆୟୋଜିତ ହେଉଥିବା ସ୍ଥାନକୁ ଯାଇ ଧାରଣରେ ବସିଥିଲେ। ତେବେ କଥା ବଢ଼ିବାରୁ ସାମ୍ବାଦିକମାନେ ମନ୍ତ୍ରୀ ଅଶୋକ ପଣ୍ଡାକୁ ଏହି ପ୍ରଶ୍ନ ପଚାରିଥିଲେ ।
