ନନ୍ଦିଘୋଷ ରଥ ଟଣା ବେଳେ ଦଳାଚକଟା ସ୍ଥିତି, ୫ ଆହତ

ପୁରୀ: ପବିତ୍ର ରଥଯାତ୍ରା ସମୟରେ ପ୍ରବଳ ଭିଡ଼ ଯୋଗୁ ଶତାଧିକ ଭକ୍ତ ଅସୁସ୍ଥ ହୋଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସେବକମାନଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀମାନେ ଷ୍ଟ୍ରେଚର୍‌ରେ ଏହି ଅସୁସ୍ଥମାନଙ୍କୁ ନେଇ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ପଠାଉଥିଲେ। ଅସୁସ୍ଥମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସ୍ବେଚ୍ଛାସେବୀମାନେ ମାନବଶୃଙ୍ଖଳ କରି ଆମ୍ବୁଲାନ୍ସକୁ ବାଟ ଛାଡ଼ୁଥିବା ଦେଖିବାକୁ ମିଳିଥିଲା। ନନ୍ଦିଘୋଷ ରଥ ଗଡ଼ିବା ପୂର୍ବରୁ ଭକ୍ତମାନେ ଠେଲାପେଲା ହୋଇ ଦୌଡ଼ିଥିଲେ। ବାଉଁଶ ବାରିକେଡ୍‌ ଡେଇଁ ଓ ଭାଙ୍ଗି ପ୍ରାଣବିକଳରେ ଏଣେତେଣେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା ।

ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣାଯିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତାଳଧ୍ବଜ ରଥ ଟଣାଯିବା ବେଳେ  ଦଳାଚକଟା ସ୍ଥିତି ଉପୁଜିଥିଲା। ଅପରାହ୍ଣ ୪ଟା ୪୦ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। କିନ୍ତୁ କର୍ଡନ ଭାଙ୍ଗି ଏତେ ସଂଖ୍ୟାରେ ଭକ୍ତ ରଥ ପାଖକୁ ଚାଲି ଯାଇଥିଲେ ଯେ ମୁଖ୍ୟମନ୍ତ୍ରୀ ରଥ ଦଉଡ଼ି ପାଖକୁ ଆସି ପାରିନଥିଲେ। ଏଣୁ ପୁଲିସକୁ ଲୋକଙ୍କୁ ଭୟଭୀତ କରିବାକୁ ପଡ଼ିଥିଲା। ସେପଟେ ଭିଡ ପାଇଁ ଶତାଧିକ ବ୍ୟକ୍ତି ଓ ଶିଶୁ ହଜିଯାଇଥିଲେ ।