ଓଡ଼ିଶାରେ ‘ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ’ର ଶୁଭାରମ୍ଭ
ପୁରୀରୁ ଭୁବନେଶ୍ୱର ଦେଇ ଇସ୍ପାତ ନଗରୀ ରାଉରକେଲା ପର୍ଯ୍ୟନ୍ତ ‘ବନ୍ଦେ ଭାରତ ଟ୍ରେନ’ର ଚଳାଚଳ ଶୁଭାରମ୍ଭ
ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କରକମଳରେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଶ୍ରୀଜଗନ୍ନାଥ ପୁରୀରୁ ଭୁବନେଶ୍ୱର ଦେଇ ଇସ୍ପାତ ନଗରୀ ରାଉରକେଲା ପର୍ଯ୍ୟନ୍ତ ‘ବନ୍ଦେ ଭାରତ ଟ୍ରେନ’ର ଚଳାଚଳ ଶୁଭାରମ୍ଭ ହୋଇଛି । ଓଡ଼ିଶା ଏବଂ ଦେଶରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ବନ୍ଦେ ଭାରତ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚଳାଚଳ ହେଲା । ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ରାଉରକେଲା, ଝାରସୁଗୁଡା, ରେଢ଼ାଖୋଲ, ସମ୍ବଲପୁର, ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭୁବନେଶ୍ଵର ଦେଇ ପୁରୀ ଯାତାୟତ କରିବ । ଏହା ଦ୍ୱାରା ପୁରୀ ଓ ସମ୍ବଲପୁରରେ ଧାର୍ମିକ ପର୍ଯ୍ୟଟନରେ ଅଭିବୃଦ୍ଧି ହେବା ସହ ଆର୍ଥିକ ବିକାଶ ହେବ ଏବଂ ବ୍ୟବସାୟର ସୁଯୋଗ ବୃଦ୍ଧି ହେବ । ଓଡ଼ିଶାର ପୁରୀ, କଟକ, ଚାଳଚେର ରୋଡ, ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର ସମେତ ୫୭ଟି ରେଳ ଷ୍ଟେସନକୁ ନବୀକରଣ କରିବାର କାମ ଚାଲୁରହିଛି । ସବୁ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ନୂଆ ନୂଆ ରେଳ ଲାଇନ ହେଉଛି । ଯାଜପୁର ରୋଡରୁ ଧାମରା, ଦେବଗଡର ବାରକୋଟରୁ କୁଚିଣ୍ଡା ସବଡିଭିଜନ ଦେଇ ଝାରସୁଗୁଡା ପର୍ଯ୍ୟନ୍ତ ରେଳଲାଇନ ପାଇଁ ସର୍ଭେ କରିବାକୁ ଅର୍ଥ ମଞ୍ଜୁର ହୋଇଛି । ଓଡ଼ିଶାର ସବୁ ସ୍ଥାନରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।