ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା

Puri-Srimandir

ପୁରୀ:  ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଳନ ହେବ । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ବାର ମାସରେ ତେରପର୍ବ ସହିତ ଅନେକ ନୀତିକାନ୍ତି ସମ୍ପନ୍ନର ବିଧି ରହିଛି । ସପ୍ତପୁରୀ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କୁ ଲାଗି କରାଯାଏ ସପ୍ତପୁରୀ ଭୋଗ । ଏହିଦିନ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” ବା ସାତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜିଉଙ୍କୁ ଲାଗି କରାଯାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଶ୍ରୀମନ୍ଦିରରେ ଦ୍ବିପ୍ରହର ଧୂପ ପରେ ଅଠରନଳା ନିକଟସ୍ଥ ଭଗବତୀ ମାଆ ଆଲାମଚଣ୍ଡୀଙ୍କ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼, ଘଣ୍ଟ, ଛତି, କାହାଳୀ ଆଦି ପଟୁଆରରେ ଶ୍ରୀମନ୍ଦିରକୁ ବିଜେ କରାଯିବାର ପରମ୍ପରା ରହିଛି । ପରେ ଚତୁଃପାର୍ଶ୍ୱ ଏକ ଘେରା ପରିକ୍ରମା କରି ତାଡ଼ଗୁଡିକ ରୋଷ ବେହରଣରେ ରଖାଯାଏ ।