ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟରେ ଆବେଦନ

କଟକ: ରତ୍ନଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି ।  ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି  ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଗଣତି ନେଇ ପିଟିସନ ଦାଖଲ କରିଛନ୍ତି। ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଦର୍ଶାଇଛନ୍ତି। ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି ।  ରତ୍ନଭଣ୍ଡାରର ଚାବି ହଜେଇଥିବା ଦାୟୀ ପୁରୀ ଜିଲ୍ଲାପାଳ କିମ୍ବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରି ସିବିଆଇ ଦ୍ବାରା ତଦନ୍ତ କରିବା ପାଇଁ ଆବେଦନ କରିଛନ୍ତି।