୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର:  ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗରେ ଆସୁଥିବା ମୁଣ୍ଡାରି ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବାକୁ ନିଷ୍ପତ୍ତି ହୋଇଛି ।  କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୬ଟି ପ୍ରସ୍ତାବରେ ମୋହର ବାଜିଛି । ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର । ସେହିପରି ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ଏହାସହ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।