ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି ବାଜି ମାରିଛି
ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି। ଏହା ପୁଣି ୧୦ ବର୍ଷ ପରେ। ନୂଆପଡ଼ାର ଜନତା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ବିପୁଳ ଭୋଟ୍ ଦେଇଛନ୍ତି। ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଶୋଭାଯାତ୍ରା କରିଛନ୍ତି। ସେ ଖରିଆର ରୋଡ୍ରେ ନିଜ ପରିବାର ଏବଂ ସମର୍ଥକମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି। ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି। ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ବାକି ଅଛି।
ନୂଆପଡ଼ାରେ ଗତ ୧୧ ତାରିଖ ଦିନ ଭୋଟ୍ ଗ୍ରହଣ କରାଯାଇଥିଲା। ଏହି ଉପନିର୍ବାଚନରେ ୨,୫୪,୪୮୭ ଜଣ ମତଦାତା ଥିଲେ। ସେମାନଙ୍କର ମଧ୍ୟରୁ ମୋଟ୍ ୨,୧୨,୩୮୫ଜଣ ମତଦାନ କରିଥିଲେ। ଏଥିରେ ପୁରୁଷ ସଂଖ୍ୟା ୧,୦୩, ୮୧୭ ଥବା ବେଳେ ୧,୦୮,୫୬୩ ଜଣ ମହିଳା ଥିଲେ। ସେହିପରି ଅନ୍ୟ ବର୍ଗର ମତଦାତା ମାନଙ୍କର ସଂଖ୍ୟା ୫ଥିଲା। ମୋଟ୍ ୮୩.୪୫% ମତଦାନ ହୋଇଛି।
ନୂଆପଡ଼ାରେ କାହାକୁ କେତେ ଭୋଟ୍ ମିଳିଲା
ଜୟ ଢୋଲକିଆ (ବିଜେପି): ୧,୨୩,୮୬୯
ଘାସିରାମ ମାଝୀ (କଂଗ୍ରେସ): ୪୦,୧୨୧
ସ୍ନେହାଙ୍ଗିନୀ ଛୁରିଆ (ବିଜେଡି): ୩୮,୪୦୮