ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ

ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ସ୍ୱରୂପ ନାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ ବୋଲି ଟୁଇଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ କିଛି ଦିନ ଧରି  ଗଳା କର୍କଟରେ ପୀଡ଼ିତ ଥିଲେ ସ୍ୱରୂପ ନାୟକ । ଚିକିତ୍ସା ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି  । ୮୦ ଦଶକରେ ବହୁ ଫିଲ୍ମରେ ସଫଳ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି  । ପ୍ରାୟ ୪୧ଟି ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ବରୂପ ନାୟକ  । ସ୍ୱୟଂସିଦ୍ଧା, କଥାନ୍ତର, ପ୍ରେମ ଋତୁ ଆସିଲାରେ ଭଳି ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି  ।  ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ବି ସମ୍ମାନିତ ହୋଇଛନ୍ତି  ସ୍ବରୂପ ନାୟକ  । ୧୯୪୭ ମସିହା ଫେବ୍ରୁଆରୀ ୮ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସ୍ବରୂପ ନାୟକ  ।