ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି !

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସାମିଲ ଥିବାବେଳେ ସେମାନଙ୍କୁ ପ୍ରଶାସନ ସୁରକ୍ଷା ଦେଉଛି ବୋଲି ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଅଭିଯୋଗ ଆଣିଛନ୍ତି। ସୁସ୍ମିତାଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା ୩ ତାରିଖରେ ବିଶାଳ ଆନ୍ଦୋଳନ ସହ ଘେରାଉ କାର୍ଯ୍ୟକ୍ରମ କରାଯିବ। ଏହାସହ ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ଶ୍ରୀ ତିର୍କୀ ସୂଚନା ଦେଇଛନ୍ତି। ଶ୍ରୀ ତିର୍କୀ କହିଲେ, ସୁସ୍ମିତାଙ୍କ ଶରୀରରେ ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଏମିତିକି ସିଗାରେଟ୍‌ ଚେଙ୍କ ଭଳିଆ ଦାଗ ବି ରହିଥିଲା। ଠିକ୍‌ ଭାବେ ଶବ ବ୍ୟବଚ୍ଛେଦ କରାଯାଇଥିଲେ ପ୍ରକୃତ ସତ୍ୟ ପଦାକୁ ଆସିଥାନ୍ତା। ମାମଲା ଚପାଇବାକୁ ପ୍ରଶାସନ ସବୁ କଳବଳକୌଶଳ ଆପଣେଇ ଏହି ସୁପରିକଳ୍ପିତ ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଉଛି। ଏ​ହି ମାମଲାର ସିବିଆଇ ତଦନ୍ତ ଦାବି କରାଯାଉଥିବାବେଳେ ଜଣେ ଡିଏସ୍‌ପିଙ୍କୁ ତଦନ୍ତ ଭାରତ ଦେବା ପଛରେ ଗୁଢ଼ ରହସ୍ୟ ଲୁଚି ରହିଛି। ସମଗ୍ର ପ୍ରସଙ୍ଗରେ ଶ୍ରୀ ତିର୍କୀ ବିଭିନ୍ନ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ଯଦି ୧୬ ତାରିଖରେ ସରକାରୀ ବୈଠକ ଥିଲା, ତା’ହେଲେ ସୁସ୍ମିତାଙ୍କ ରହଣି ବ୍ୟବସ୍ଥା ସର୍କିଟ୍‌ ହାଉସ୍‌ ପରିବର୍ତ୍ତେ ରାଧିକ ରିଜେନ୍ସିରେ କରାଗଲା କାହିଁକି? କିଏ ଓ କେବେ ଏହି ହୋଟେଲରେ ରୁମ୍‌ ବୁକ୍‌ କରିଥିଲେ? ତାହାର ତଦନ୍ତ କାହିଁକି ହୋଇନି ।  ଆଗାମୀ ୩ ତାରିଖରେ ହେବାକୁ ଥିବା ଆନ୍ଦୋଳନରେ ମୃତକଙ୍କ ପରିବାର ସଦସ୍ୟ ସାମିଲ ହେବେ। ସୁସ୍ମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ।