୫-ଟି ସଚିବଙ୍କ ଜଟଣୀ ଓ ଜୟଦେବ ଗସ୍ତ

ଖୋର୍ଧା:   ୫-ଟି ସଚିବ ଭି କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ଖୁଦୁପୁର ଖେଳପଡ଼ିଆରେ  ଏବଂ ବାଲିଅନ୍ତା ଭିଙ୍ଗାରପୁର ବକ୍ରେଶ୍ବର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଅନୁଦାନ ବାବଦରେ ସୂଚନା ଦେଇଛନ୍ତି। ଶ୍ରୀ ପାଣ୍ଡିଆନ୍‌ କହିଥିଲେ, ଯେତେସବୁ ଅଭିଯୋଗ ପତ୍ର  ମିଳିଛି, ପ୍ରାୟ ମାସକ ଭିତରେ ସବୁ ସମସ୍ୟା ସମାଧାନ କରାଯିବ । ଜଟଣୀ-ପିପିଲି ରାସ୍ତା ନବୀକରଣ, ଘରକୁ ଘର ପାନୀୟ ଜଳ ଯୋଗାଣ, ଅଗଷ୍ଟ ଶେଷ ସୁଦ୍ଧା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ନିର୍ମାଣ ଶେଷ ହେବ ବୋଲି ସେ କହିଥିଲେ। ସେହିଭଳି ଜୟଦେବ ନିର୍ବାଚନ ମଣ୍ଡଳୀରେ ମେଗା ପାନୀୟ ଜଳ ପ୍ରକଳ୍ପ ଏବଂ କୁଆଖାଇ ଓ କୁଶଭଦ୍ରା ନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କା ଅନୁଦାନ ମିଳିଥିବା ନେଇ ସେ ସୂଚନା ଦେଇଥିଲେ।