ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା

ଭୁବନେଶ୍ୱର: ଜୁନ୍ ୨୦ରେ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟସେବା, ପରିମଳ, ଗମନାଗମନ, ଆଲୋକୀକରଣ, ଆଇନଶୃଙ୍ଖଳା ରକ୍ଷା ପ୍ରସଙ୍ଗରେ ଏକ ସମନ୍ୱୟ ବୈଠକ ପୋଲିସ ସେବା ଭବନଠାରେ ଅନୁଷ୍ଠିତ ହୋଇଛି । ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା । ସମନ୍ୱୟ ବୈଠକରେ  ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ଵ ଦେବା ସହ ବିଭିନ୍ନ ରଥ କମିଟିର ସୁବିଧା ଅସୁବିଧା ନେଇ ବିସ୍ତୃତ ଆଲୋଚନା ହୋଇଛି । ରାଜଧାନୀ ଓ ଉପକଣ୍ଠରେ ଚଳିବର୍ଷ ୫୭ଟି ରଥଯାତ୍ରା ହେଉଥିବା ବେଳେ ଇସ୍କନରେ ଲକ୍ଷାଧିକ ଲୋକଙ୍କ ସମାଗମ ଆଶା ରହିଛି। ଆଲୋଚନା ସମୟରେ  ମୁକୁଳା ଡ୍ରେନ ମରାମତି, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ସ୍ଥାନ, ଆମ୍ବୁଲାନ୍ସ, ଗଛ କାଟିବା, ପାଣି ସିଞ୍ଚନ କରିବା ଆଦି ଦିଗକୁ ଫୋକସ କରାଯାଇଥିଲା । ସେହିପରି ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲେଡିଜ୍ ପୋଲିସ ମୁତୟନ ହେବେ ଓ କମିଟି ସଦସ୍ୟ ଯେଉଁମାନେ ରଥ କର୍ଡନ ଭିତରେ ରହିବେ । ସେମାନଙ୍କ ନିର୍ଦ୍ଦିଷ୍ଟ ପରିଚୟ ପତ୍ର ରହିବାକୁ ଗୁରୁତ୍ୱ ଦେଇଥିଲେ ଡିସିପି । ଗୁଣ୍ଡିଚା, ବାହୁଡା ଓ ସୁନାବେଶ ହେଉଥିବା ସ୍ଥାନରେ ଅପରାଧ ନିୟନ୍ତ୍ରଣ ମୂଖ୍ୟତଃ ପକେଟମାରଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ରହିବେ ପୋଲିସ ।