ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅ: ବିଜେପି

ଭୁବନେଶ୍ୱର: ରାଜ୍ୟର ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ପକ୍କାଘର ଯୋଗାଇ ଦେଇଛନ୍ତି । ୩୪,୦୬୩କୋଟି ଟଙ୍କା ଅନୁଦାନରେ ଓଡିଶାର ପ୍ରାୟ ୨୬.୯୫ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଥିବାବେଳେ ଓଡିଶା ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ମନ୍ଦ ଅଭିସନ୍ଧି ଯୋଗୁଁ ୯.୫ଲକ୍ଷ ପରିବାର ଏହି ସୁବିଧାରୁ ଏବେ ଯାଏ ବଂଚିତ ହୋଇ ରହିଛନ୍ତି ।ଅଯୋଗ୍ୟ ରାଜ୍ୟ ସରକାର “ମୋ ଘର” ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।  ବ୍ୟାପକ ଦୁର୍ନୀତି, ବାଟମାରଣା ଓ ପକ୍ଷପାତିତା ଯୋଗୁଁ ହିଁ ଆଜି ସମ୍ପୂର୍ଣ୍ଣ ଦେଶରେ ଓଡିଶା ରାଜ୍ୟର ସବୁଠୁ ବେଶୀ ଗରିବ ନିଜ ଘର ପାଇପାରିନାହାଁନ୍ତି । କେନ୍ଦ୍ର ସରକାରଙ୍କ ପକ୍କା ଘର ଲୋକଙ୍କ ପାଖରେ ପହଂଚାଇବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଯୋଗ୍ୟ ବାସହୀନଙ୍କୁ ମାଗଣା ପକ୍କା ଘର ଯୋଗାଇ ଦେବାରେ ବିଫଳ ହୋଇଥିବା ବିଜେଡି ସରକାର ଗତ କାଲି ଆଉ ଗୋଟିଏ “ମୋ ଘର” ନାମରେ ନୂତନ ଥିଓରୀ ରଚନା କରିଛନ୍ତି । ବିଜୁ ପକ୍କା ଘର ଯୋଜନାରେ ଗତ ୫ ବର୍ଷ ଭିତରେ ମାତ୍ର ୪୮୦ଟି ଘର ନିର୍ମାଣ କରିଥିବା ବିଜେଡି ସରକାରର ଏହା ଏକ ପ୍ରହେଳିକା । ଗତ ୩ ବର୍ଷରେ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ବି ବରାଦ ହୋଇ ନାହିଁ । ନିଜର ଅପାରଗତା ପଦାରେ ପଡିଲା ପରେ ଓ କେନ୍ଦ୍ରୀୟ ଗ୍ରାମ ବିକାଶ ମନ୍ତ୍ରଣାଳୟର ତାଗିଦ ପରେ ହିଁ ଓଡିଶା ସରକାର “ମୋ ଘର” ଯୋଜନାର ପ୍ରହେଳିକା ସୃଷ୍ଟି କରାଉଛନ୍ତି । ମୋ ଘର ଯୋଜନାରେ ମଧ୍ୟ ପୁଣିଥରେ ଓଡିଶା ସରକାର କେନ୍ଦ୍ରୀୟ ଯୋଜନା ଗୁଡିକୁ ସବୁଜ ରଙ୍ଗ ବୋଲି ନିଜ ଯୋଜନା ଭାବେ ପ୍ରସ୍ତୁତ କରୁଛନ୍ତି ବୋଲି ପୃଥୀରାଜ ଅଭିଯୋଗ କରିଛନ୍ତି ।