ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୨୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଓଡ଼ିଶାର ନୂତନ ଶିଳ୍ପ ୟୁନିଟ୍ ପାଇଁ ଉଦଘାଟନୀ ସମାରୋହର ୧୭ ତମ ପର୍ଯ୍ୟାୟରେ ୧୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳ୍ପଗୁଡିକ ପାଇଁ ବିନିଯୋଗ ହେବ ୩ ହଜାର ୬୦୦ କୋଟି ଟଙ୍କା । ଯାହାକି ୯ ହଜାର ୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ । ଏହି ଅବସରରେ ସେ ସମସ୍ତ କମ୍ପାନୀ ଏବଂ ଓଡ଼ିଶାର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାରଙ୍କ ସହଯୋଗର ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ସେମାନଙ୍କର ବ୍ୟବସାୟକୁ ଆହୁରି ବିସ୍ତାର କରିବାକୁ ଏବଂ ଆମର ଅଭିବୃଦ୍ଧି କାହାଣୀରେ ଅଂଶୀଦାର ହେବାକୁ ଉପସ୍ଥିତ ସମସ୍ତ ନିବେଶକଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁଞ୍ଜି ବିନିଯୋଗ ଆକୃଷ୍ଟ କରିବାରେ ଓଡ଼ିଶା ଶୀର୍ଷ ରାଜ୍ୟ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ନିବେଶକଙ୍କ ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ସ୍ଥାନ କରିବା ପାଇଁ ତାଙ୍କ ସରକାରଙ୍କ ନିରନ୍ତର ଉଦ୍ୟମ ବର୍ତ୍ତମାନ ରୂପ ନେଉଛି ବୋଲି ସେ କହିଛନ୍ତି ।