ବନାଗ୍ନି ରୋକିବାକୁ ବ୍ୟାପକ ପ୍ରସ୍ତୁତି

ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ  ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ  ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ୧୪୭୬୦ଟି ଜଙ୍ଗଲ ସ୍ଥାନରେ ନିଆଁ ଲାଗିବାର ତଥ୍ୟ ରହିଥିବା ବେଳେ ସେଥି ମଧ୍ୟରୁ ୧୪୩୯୩ଟି ସ୍ଥାନରେ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ତୁରନ୍ତ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଛନ୍ତି । ରାଜ୍ୟର ୪୯ଟି ଜଙ୍ଗଲ ଉପଖଣ୍ଡରେ ୩୯୯ଟି ଅଗ୍ନି ପ୍ରତିରୋଧ ସ୍କ୍ୱାର୍ଡ ଗଠନ କରାଯାଇଛି ।
ବନାଗ୍ନିକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଦକ୍ଷତା ବୃଦ୍ଧି କରାଯିବା ସହ  ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାଲା, ଦାସକାଠିଆ,ଘୋଡାନାଚ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ବନାଗ୍ନି ସଂପର୍କରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବା ଏବଂ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସ୍ୱଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସାମାଜିକ କର୍ମୀ ମାନଙ୍କୁ ସାମିଲ କରାଯିବ । କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀ ଏବଂ ଏହି ଅଭିଯାନରେ ସାମିଲ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇବା ସହ ସେମାନଙ୍କୁ ଅଧିକ ସଂଖ୍ୟକ ନିଆଁ ଲିଭା ଯନ୍ତ୍ର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି  ସ୍ୟାଟେଲାଇଟ ରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି ବରଂ ଅନେକ ସ୍ଥାନରେ ଚାଷୀ ମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି । ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀ ମାନେ ନିଆଁ ଲଗେଇ ଦେଉଛନ୍ତି । ଯେଉଁଥି ପାଇଁ ସ୍ୟାଟ ଲାଇଟ ରେ ଅଧିକ ନିଆଁ ଲାଗିଥିବା ଆସୁଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାର 98 ପ୍ରତିଶତ କୁ ଅନୁଧ୍ୟାନ କରୁଛୁ । ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆ ଯାଉଛି । ଆଧୁନିକ ପ୍ରଣାଳୀ ରେ ନିଆଁ କୁ ଆୟତ୍ତ କରାଯାଉଛି । ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଛନ୍ତି । ଯେଉଁ ମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉ ଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯେଉଁମାନେ ଜଙ୍ଗଲ ରେ ବୁଲାବୁଲି କରୁଛନ୍ତି ଯାହା ଉପରେ ସନ୍ଦେହ ହେଉଛି ତାଙ୍କ ଉପରେ ନଜର ରଖା ଯାଉଛି ।