ବିଧାନସଭାରେ ଅଚଳାବସ୍ଥା ଜାରି

ଚଳିତ  ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟ ଦିବସ ରହିଛି  । କିନ୍ତୁ ୩ ଦିନ ଧରି ଗୃହ ଠିକ୍‌ ଭାବେ ଚାଲିପାରିନାହିଁ । ଗୋଟିଏ ଦିନ ବିଧାନସଭା ଚାଲିଲେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି  । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ଗୃହ ଚାଲିପାରୁନାହିଁ  । ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ରଖିଥିଲେ । ପାଟିତୁଣ୍ଡ କରି ଗୃହକୁ ଚଳାଇ ଦେଉ ନଥିବାରୁ ବିଜେପି ଉପରେ କଂଗ୍ରେସ ଓ ବିଜେଡି ବର୍ଷିଛନ୍ତି ।  ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ଆଲୋଚନା ହୋଇପାରିନାହିଁ ।  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରାପ୍ରସାଦ ବାହିନୀପତି ଗୃହର ସମୟ କାହିକିଁ ବିଜେପି ନଷ୍ଟ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ବିଧାନସଭାର ପ୍ରଶ୍ନକାଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହାକୁ ଯୋଜନାବଦ୍ଧ ଭାବେ ବିଜେପି ବନ୍ଦ କରିବା ଠିକ୍‌ ନୁହେଁ । ଲୋକଙ୍କ ଟଙ୍କାରେ ଚାଲୁଥିବା ଗୃହରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଆଲୋଚନା ନହେବା ଦୁର୍ଭାଗ୍ୟଜନକ । ବିଜେଡି ବିଧାୟକମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ବିଜେପି କିନ୍ତୁ ଅନ୍ୟ ଦଳ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି । ଯାହାକୁ ନେଇ ବିଜେପିକୁ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଘେରିଛନ୍ତି ।