ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ମହାବନ୍ଦ ପାଳନ
ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରାଯାଉଛି। ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଳାଂଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ବନ୍ଦ ଡାକରାରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନକୁ ବନ୍ଦ ଡାକରାରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି। ଆଜି ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡି ଚଳାଚଳ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡ଼ିଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,କଳାହାଣ୍ଡି, ନୂଆପଡ଼ା ଆଦି ସମେତ ୧୧ଟି ଜିଲ୍ଲାରେ ବନ୍ଦର ପ୍ରଭାବ ରହିଛି। କେତେକ ସ୍ଥାନରେ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ବିଭିନ୍ନ ସ୍ଥାନରେ ସଂଯୁକ୍ତ କ୍ରିୟାନୁଷ୍ଠାନ ପକ୍ଷରୁ ପିକେଟିଂ କରାଯାଉଛି।