ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତସିଂହପୁର: ପାଣି ଭାର ଉଠାଇବାବେଳେ ଭାସିଯାଇଛନ୍ତି ନାବାଳକ କାଉଡ଼ିଆ । ସଂଧ୍ୟାରେ ଭାସିଯାଇଥିବା ବେଳେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହାଁନ୍ତି । ଜଗତସିଂହପୁର ଆଳିପିଙ୍ଗଳ ଦେବୀ ନଦୀ ଘାଟରୁ ପାଣି ଉଠାଇବା ସମୟରେ କାଉଡ଼ିଆ ଭାସିଯାଇଛନ୍ତି । ନିଖୋଜ କାଉଡ଼ିଆ ହେଲେ ଅଷ୍ଟମ ଶ୍ରେଣୀର ଛାତ୍ର ଭୋଳା ପ୍ରଧାନ । ତାଙ୍କ ଘର ଛପଡା ଗୋରେଖନାଥ ଅଞ୍ଚଳରେ ବୋଲି ସୂଚନା ମିଳିଛି । ୬ ଜଣ ସମ୍ପର୍କୀୟଙ୍କ ସହିତ ପାଣି ଉଠାଇବା ପାଇଁ ଦେବୀ ନଦୀକୁ ପଶିଥିଲେ ଭୋଳା । କିନ୍ତୁ ଅନ୍ଧାରରେ ସେ ଭାସିଯାଇଥିଲେ । ଅନ୍ଧାର ହୋଇଥିବାରୁ ଏନେଇ କେହିକିଛି ଜାଣିପାରିନଥିଲେ । ଭୋଳାଙ୍କର ଚିତ୍କାର ଶୁଣି ଅନ୍ଧାରରେ ତାଙ୍କୁ ଖୋଜାଖୋଜି କରିଥିଲେ ସମ୍ପର୍କୀୟ । ହେଲେ ଭୋଳାଙ୍କୁ ଆଉ ପାଇନଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବାବେଳେ ରାତି ଅଧିକ ହେବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।