ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା

ସାରା ରାଜ୍ୟରେ ଜନ୍ମାଷ୍ଟମୀ ପାଇଁ ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ ।  ଶ୍ରୀମନ୍ଦିରରେ ବିଶେଷ ଭାବେ  ଜନ୍ମୋତ୍ସବ ପାଳିତ ହେଉଛି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ପାଳିତ ହେଉଛି । ଆଜି କାଲି ଦୁଇ ଦିନ ଧରି ଦେଶରେ ପାଳନ ହେଉଛି ଜନ୍ମାଷ୍ଟମୀ । ତେବେ ସନ୍ଧ୍ୟାଧୂପ ଶେଷ ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ପାଳିତ ହେବ ବୋଲି ଜଣାପଡିଛି ।  ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି, କାଳୀୟ ଦଳନ ଭଳି ଅନେକ ନୀତି ସହ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିଥାନ୍ତି । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ବିଜେ କରାଯାଇଥାଏ । ପରେ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିଥାନ୍ତି । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ ।