ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ ଇଣ୍ଟରନେଟ

ଭୁବନେଶ୍ୱର: ଗାଁ ସହ  ସିଧାସଳଖ ଆଲୋଚନା ପାଇଁ ସରକାର ଏବେ ସବୁ ପଂଚାୟତକୁ ଇଣ୍ଟରନେଟ ଯୋଡିବା କାର୍ଯ୍ୟ ହାତକୁ ନେଇଛନ୍ତି। ଏହା ଫଳରେ ପଞ୍ଚାୟତ ବିକାଶ ନେଇ ମନ୍ତ୍ରୀ, ସଚିବଙ୍କ ସହ ସିଧା କଥା ହେବେ ସରପଞ୍ଚ ।ପଞ୍ଚାୟତ ର୍କାଯ୍ୟାଳୟରେ ଟିଭି, କମ୍ପ୍ୟୁଟର, ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ଦୁଇଟି ସଂସ୍ଥାକୁ ୱାର୍କ ଅର୍ଡର ଦିଆଯାଇଥିବା ବେଳେ ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ କାମ ସାରିବାକୁ ତାଗିଦ କରାଯାଇଛି । ପଞ୍ଚାୟତ କାମ ବିଳମ୍ବ ନ ହେବା ପାଇଁ ଶନିବାର, ରବିବାର ଛୁଟିଦିନରେ ବି କାମ କରିବାକୁ କୁହାଯାଇଛି । ଆମ ଓଡ଼ିଶା, ନବୀନ ଓଡ଼ିଶାରେ ସବୁ ପଞ୍ଚାୟତରେ ସଂସ୍କୃତି ଓ ଐତିହ୍ୟ ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର ସବୁ ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିବ ଇଣ୍ଟରନେଟ, ରାଜ୍ୟ ମୁଖ୍ୟାଳୟରୁ ହେବ ଭିଡିଓ କନଫେରେନ୍ସିଂ । ରାଜ୍ୟର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବିଏସଏନଏଲର ମାସିକିଆ ୭୯୯ ଟଙ୍କିଆ ପ୍ଲାନ୍ ସହ କମ୍ପ୍ୟୁଟର ସହିତ ସ୍ୱତନ୍ତ୍ର ଭିଡିଓ କନଫେରେନ୍ସିଂ ରୁମ୍ ପ୍ରସ୍ତୁତ କରିବାକୁ ବିଡିଓ ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ପଞ୍ଚାୟତିରାଜ ବିଭାଗ । ଗାଁ ଗାଁର ବିକାଶ ପାଇଁ ସରକାର କରିଥିବା ଯୋଜନା ଗ୍ରାଉଣ୍ଡ ଜିରୋରେ କିପରି କାର୍ଯ୍ୟକାରୀ ହେଉଛି, ତା’ର ସିଧାସଳଖ ତଦାରଖ ମନ୍ତ୍ରୀ, ସଚିବ କରିବେ । ଆଇଟି ଓ ଇଲୋକ୍ଟ୍ରୋନିକ୍ସ ବିଭାଗ ଜରିଆରେ ଓକାକ୍ ଏହି ବ୍ୟବସ୍ଥାର ମନିଟରିଂ କରୁଥିବା ବେଳେ ଅଗଷ୍ଟ ୧୫ ସୁଦ୍ଧା ଭିତ୍ତିଭୂମି କାମ ସାରିବାକୁ ଟାର୍ଗେଟ ରହିଛି ।