ନବୀନ ପୁଣି ଗଢ଼ିବେ ସରକାର । ରାଜ୍ୟରେ ପୁଣି ଥରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ଏବଂ ଦଳର ସଭାପତି ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। କ୍ରମାଗତ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ସତ୍ତ୍ବେ ନବୀନ ପଟ୍ଟନାୟକ ପୁଣି ସରକାର ଗଢ଼ିବେ । ଇଣ୍ଡିଆ ଟିଭିର ଆକଳନ ଅନୁସାରେ ଏବେ ଯଦି ରାଜ୍ୟରେ ନିର୍ବାଚନ ହୁଏ ତେବେ ବିଜେଡି କେବଳ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ନାହିଁ; ୨୦୧୯ ନିର୍ବାଚନଠାରୁ ଦଳର ଭୋଟ ହାର ବୃଦ୍ଧି ପାଇବ ଓ ଆସନ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବଢ଼଼ିବ।
ଇଣ୍ଡିଆ ଟିଭି ଓ ସିଏନ୍ଏକ୍ସ ପକ୍ଷରୁ ହୋଇଥିବା ଓପିନିୟନ ପୋଲରେ ପ୍ରକାଶିତ ହୋଇଛି ଏହି ତଥ୍ୟ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୪୨.୮% ଭୋଟ ସହ ୧୨ଟି ଲୋକସଭା ଆସନ ଦଖଲ କରିଥିଲା। ଅନୁରୂପ ଭାବରେ ବିଧାନସଭା ନିର୍ବାଚନରେ ଦଳ ଲୋକସଭା ଭୋଟ ଠାରୁ ପାଖାପାଖି ୨% ଅଧିକ ୪୪.୭୧% ଅର୍ଥାତ୍ ୧.୦୨ କୋଟି ଭୋଟ ପାଇଥିଲା। ୨୦୧୯ରେ ରାଜ୍ୟର ମୋଟ ୩.୨୪ କୋଟି ଭୋଟରଙ୍କ ମଧ୍ୟରୁ ୨.୩୬ କୋଟି ଭୋଟର ମତଦାନ କରିଥିଲେ। ଆଗାମୀ ନିର୍ବାଚନରେ ବିଜେଡି ୪୫ ପ୍ରତିଶତ ଭୋଟ ପାଇବ ବୋଲି ସର୍ଭେ କହିଛି ।