ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ ଭି.କେ.ପାଣ୍ଡିଆନ୍। ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍। ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ‘ନବୀନ ଓଡ଼ିଶା’ ଓ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗତ ଏକ ସପ୍ତାହ ଧରି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଭି.କେ.ପାଣ୍ଡିଆନ୍ କାର୍ତ୍ତିକ ପୂର୍ଣ୍ଣମୀ ଦିନ ବିଜୁ ଜନତା ଦଳରେ ଯୋଗଦେବେ। ଆଜି ପୂର୍ବାହ୍ଣ ୧୦.୧୫ ମିନିଟରେ ସେ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ, ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପୁରୀ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଜେଡି ନେତାଙ୍କୁ କହିଥିଲେ ଯେ ଶ୍ରୀ ପାଣ୍ଡିଆନ୍ଙ୍କର ପ୍ରଶାସନିକ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି ତାହା ସେ ଦଳ ପାଇଁ ଏବଂ ରାଜ୍ୟର ବିକାଶ ଲାଗି ଉପଯୋଗ କରିବେ।
୨୦୦୦ ମସିହାରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ କାର୍ତ୍ତିକ ପାଣ୍ଡିଆନ୍ । ୨୦୦୨ ମସିହାରେ କଳାକାଣ୍ଡିର ଧର୍ମଗଡ଼ରେ ମିଳିଥିଲା ପ୍ରଥମ ନିଯୁକ୍ତି । ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ଧର୍ମଗଡ଼ ଅଞ୍ଚଳରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ ଭି.କେ ପାଣ୍ଡିଆନ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ପଦକ୍ଷେପ ନେଇଥିଲେ। ଏହାପରେ ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ୭ ମାସ କାର୍ଯ୍ୟ କରିଛନ୍ତି । ଏହି ସମୟରେ ଛେଣ୍ଡ ମାର୍କେଟ ଉଚ୍ଛେଦ ଏବଂ ୧୫ ବର୍ଷ ପରେ ଲୋକମାନେ ଟଙ୍କା ଫେରିପାଇବାର ସେ ଥିଲେ ମୁଖ୍ୟ କାରଣ ।
୨୦୦୫ରେ ଦେଶର ସର୍ବକନିଷ୍ଠ ଅଫିସର ଭାବେ ରାଜ୍ୟର ସର୍ବବୃହତ ଜିଲ୍ଲା ମୟୁରଭଞ୍ଜର ଜିଲ୍ଲାପାଳ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ୍ । ୨ ବର୍ଷର କାର୍ଯ୍ୟକାଳରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ସମୟରେ ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତି । ୨୦୦୭ରେ ଗଞ୍ଜାମ ଜିଲ୍ଲାପାଳ ହେଲେ ପାଣ୍ଡିଆନ୍ । ୨୦୦୭ରେ ଗଞ୍ଜାମର ଜିଲ୍ଲାପାଳ ଥିବା ବେଳେ ଏଡସ ଆକ୍ରାନ୍ତଙ୍କ ପାଇଁ ଗୋପାଳପୁରରେ ପ୍ରତିଷ୍ଠା କରିଥିଲେ ଶ୍ରଦ୍ଧା ସଂଜୀବନୀ । ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ବହୁବାର ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ନିମନ୍ତ୍ରଣ କରାଯାଇଛି । ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି ।
୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ସେ ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମଜୁରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଜଣେ ଅଫିସରଙ୍କର ପ୍ରତିବଦ୍ଧତା, ନିଜର କାର୍ଯ୍ୟଶୈଳୀ ଓ ଓଡ଼ିଶା ବିକାଶରେ ତାଙ୍କର ଅବଦାନକୁ ଦେଖି ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ସଚିବ ପଦରେ ତାଙ୍କୁ ଅବସ୍ଥାପିତ କରିଥିଲେ । ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଚିନ୍ତାଧାରାକୁ ବାସ୍ତବ ରୂପ ଦେଇ ଆସୁଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ୨୦୧୯ରେ ସେ 5T ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ କାର୍ତ୍ତିକ ପାଣ୍ଡିଆନ ।